ଔଷଧ ଦୋକାନ ବାହାରେ ଲାଗିଲା ଡ୍ରଗ୍ସ ଇନସପେକ୍ଟରଙ୍କ ନମ୍ବର, ଗ୍ରାହକ କରିପାରିବେ ଅଭିଯୋଗ

ଭୁବନେଶ୍ୱର: ନକଲି ଔଷଧ କାରବାର ରୋକିବାକୁ ଡ୍ରଗ୍ସ କଣ୍ଟ୍ରୋଲର କଠୋର ହୋଇଛନ୍ତି। ଏଣିକି ଗ୍ରାହକ ମଧ୍ୟ ଔଷଧକୁ ନେଇ ସନ୍ଦେହ ପ୍ରକାଶ କଲେ ସଂପୃକ୍ତ ଔଷଧ ବ୍ୟବସାୟୀ ବା ଦୋକାନୀ ବିରୋଧରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଜଣାଇପାରିବେ। ତେଣୁ ରାଜଧାନୀରେ ଗତକାଲିଠୁ ଔଷଧ ଦୋକାନ ବାହାରେ ଲାଗିଛି ଡ୍ରଗ୍ସ ଇନସପେକ୍ଟରଙ୍କ ନମ୍ବର। ଏହି ନମ୍ବରରେ ଗ୍ରାହକମାନେ ହ୍ୱାଟସଆପ୍ ଜରିଆରେ ନିଜର ଅଭିଯୋଗ ପଠାଇପାରିବେ ବୋଲି ଉଲ୍ଲେଖ ରହିଛି।

ସୂଚନାନୁସାରେ, ସାରା ରାଜ୍ୟରେ ଔଷଧ ଦୋକାନ ବାହାରେ ସମ୍ପୃକ୍ତ ଜିଲ୍ଲାର ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଫୋନ୍ ନମ୍ବର ସହିତ ନୋଟିସ୍ ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହୋଇଛି। ଏହା ଦ୍ୱାରା ଗ୍ରାହକମାନେ କିଣାଯାଇଥିବା ଔଷଧର ଗୁଣବତ୍ତା ଉପରେ ଅଭିଯୋଗ କରିପାରିବେ। ଯଦି ଗ୍ରାହକ କିଣିଥିବା ଔଷଧ ନକଲି କିମ୍ବା ବିଭ୍ରାନ୍ତିକାର ବୋଲି ଜଣାପଡେ ତାହାଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ।

ନିକଟରେ ଔଷଧ ବ୍ୟବସାୟୀ ସଂଘ ମଧ୍ୟ ରାଜ୍ୟ ବାହାରୁ ଔଷଧ ନଆଣିବାକୁ ନୂଆ ନିୟମ କରିଛି। ଯିଏ ବାହାରୁ ଆଣିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗତ ଶନିବାର ବସିଥିବା ସଂଘର ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଉଲ୍ଲେଖଯୋଗ୍ୟ, କଟକ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ନକଲି ଔଷଧ ବିକ୍ରି ହେଉଥିବା ଜଣାପଡିଥିଲା। ଉଚ୍ଚ ରକ୍ତ ଚାପ ପାଇଁ ବିକ୍ରି ହେଉଥିଲା ଟେଲମା-40। କିନ୍ତୁ ଏକ ବଡ କମ୍ପାନୀର ଲୋଗୋ ଲଗାଇ ଏହି ଔଷଧ ବିକ୍ରି ହେଉଥିବା ଜଣାପଡିଥିଲା। ଏହି ମାମଲାରେ ଦୁଇ ଜଣ ଗିରଫ ମଧ୍ୟ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଔଷଧ ବ୍ୟବସାୟୀ ବିହାରରୁ ଔଷଧ ଆଣି ବ୍ୟବସାୟ କରୁଥିବା ପୋଲିସ ତଦନ୍ତରୁ ଜଣାପଡିଛି।

Related Articles

Back to top button