
ତପସ୍ବିନୀ ରହୁଥିବା ଘରର ବିଦ୍ୟୁତ୍ ବିଚ୍ଛିନ୍ନ କରି ଦେଲେ ଶାଶୁଘର ଲୋକେ, ଏସ୍ପିଙ୍କ ନିକଟରେ ଅଭିଯୋଗ କଲେ
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ଦାସଙ୍କ ଦାମ୍ପତ୍ୟ ବିବାଦର ଅନ୍ତ ଏ ଯାଏ ହୋଇନାହିଁ। ୨୦୨୧ ନଭେମ୍ବରରୁ ସେମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ବ୍ରହ୍ମାନଗରରେ ସୁମିତଙ୍କ ଘରେ ପ୍ରାୟ ବର୍ଷେ ହେବ ରହୁଥିବା ତପସ୍ବିନୀ ଏକ ନୂଆ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଶାଶୁଘର ଲୋକେ ସେ ରହୁଥିବା ଘରର ବିଦ୍ୟୁତ୍ ବିଚ୍ଛିନ୍ନ କରି ଦେଇଥିବା ତପସ୍ବିନୀ ଅଭିଯୋଗ କରିଛନ୍ତି।
୪ ଦିନ ହେଲା ବିଦ୍ୟୁତ ବନ୍ଦ ରହିଥିବା ଯୋଗୁ ପାଠପଢ଼ା ସହ ଅନ୍ୟାନ୍ୟ ଅସୁବିଧା ହେଉଥିବା ସେ କହିଛନ୍ତି। ବୁଧବାର ତପସ୍ବିନୀ, ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ଆସି ବ୍ରହ୍ମପୁର ଏସ୍ପି ଡା. ଶ୍ରବଣା ବିବେକ ଏମ୍ଙ୍କ ନିକଟରେ ଏ ନେଇ ଫେରାଦ ହୋଇଛନ୍ତି। ତପସ୍ବିନୀ ରହୁଥିବା ଘରର ବିଦ୍ୟୁତ ସରବରାହ କାହିଁକି ବିଚ୍ଛିନ୍ନ କରାଯାଇଛି ସେ ନେଇ ସୁମିତଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରାଯିବ। ଖୁବଶୀଘ୍ର ତପସ୍ବିନୀଙ୍କ ଘରେ କିପରି ବିଦ୍ୟୁତ ସରବରାହ ସଂଯୋଗ କରାଯିବ ସେ ନେଇ ଆଲୋଚନା କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି।