ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇବା ଘଟଣା: ପଶ୍ଚିମବଙ୍ଗରୁ ୟୁଟ୍ୟୁବ୍‌ର ଅନିମେଷଙ୍କୁ ଗିରଫ କଲା ପୁରୀ ପୋଲିସ

ପୁରୀ : ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ ୟୁଟ୍ୟୁବ୍‌ର ଅନିମେଷ ଚକ୍ରବର୍ତ୍ତୀଙ୍କୁ ବୁଧବାର ପୁରୀ ପୋଲିସ ଗିରଫ କରିଛି। ପୁରୀ ସିଟି ଡିଏସ୍‌ପି କେ. କେ. ହରିପ୍ରସାଦଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ କୋଲକାତା ଯାଇ ସେଠାରେ ୫ଦିନ ରହି ଅନିମେଷଙ୍କ ଗତିବିଧି ଉପରେ ନଜର ରଖିଥିଲେ। ବୁଧବାର ପଶ୍ଚିମବଙ୍ଗର ବାରାକପୁର ଜିଲାରୁ ଅନିମେଷଙ୍କୁ ଗିରଫ କରାଯାଇଥିବା ପୁରୀ ଏସ୍‌ପି କନଓ୍ବର ବିଶାଲ୍‌ ସିଂହ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ତଥା ନୋ ଫ୍ଲାଇଂ ଜୋନ୍‌ରେ ପଶ୍ଚିମବଙ୍ଗ ନର୍ଥ ଚବିଶପ୍ରଗଣା ଗୁମା ଆମଡଙ୍ଗା ଅଞ୍ଚଳର ଅନିମେଷ ଡ୍ରୋନ ଉଡାଇ ଭିଡିଓ ଭାଇରାଲ କରିଥିବା ଘଟଣା ଗତବର୍ଷ ନଭେମ୍ବର ୧୯ରେ ସାମ୍ନାକୁ ଆସିଥିଲା। ସେ ପତିତପାବନ ବାନା ପରିବର୍ତ୍ତନ ଓ ଶ୍ରୀମନ୍ଦିର ଭିତରବେଢାର ଦୃଶ୍ୟକୁ କଏଦ୍‌ କରି ୟୁନିଫାଏଡ୍‌ ନାମକ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ୍‌ କରିଥିଲେ, ଯାହାକୁ ସାରା ବିଶ୍ୱବାସୀ ଦେଖିଥିଲେ। ଉକ୍ତ ଚ୍ୟାନେଲରେ ଦିଆଯାଇଥିବା ଯୋଗାଯୋଗ ନମ୍ବରରେ ସମ୍ପର୍କ କରିବାରୁ ସେ ପ୍ରତି ଆଙ୍ଗେଲ୍‌ ପିଛା ଫୁଟେଜ୍‌ ନେବାପାଇଁ ୨୦ ହଜାର ଟଙ୍କା ଦାବି କରୁଥିବା ଜଣାପଡ଼ିିଥିଲା। ଭିଡିଓର ପ୍ରାରମ୍ଭରେ ଓଡ଼ିଶା ପୋଲିସକୁ ସ୍ବତନ୍ତ୍ର ଧନ୍ୟବାଦ ଦିଆଯାଇଥିବା ଏହି ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖିବାକୁ ମିଳିଥିଲା। ତେଣୁ ପୋଲିସ ପ୍ରତି ଅଙ୍ଗୁଳି ଉଠିବା ସହ ଏପରି ଭିଡିଓ କରିବା ପାଇଁ ତାଙ୍କୁ କିଏ ଅନୁମତି ଦେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। ସିଟି ଡିଏସ୍‌ପି ହରିପ୍ରସାଦଙ୍କ ନେତୃତ୍ୱରେ ଏକ ୩ଜଣିଆ ଟିମ୍‌ ଗଠନ କରାଯାଇ ଉକ୍ତ ଭିଡିଓକୁ ଯାଞ୍ଚ କରାଯାଇଥିଲା। ସିଟି ଡିଏସ୍‌ପି ତାଙ୍କ ରିପୋର୍ଟ ଦେବା ପରେ ଡିସେମ୍ବର ୪ରେ ସିଂହଦ୍ୱାର ଥାନାରେ ପୋଲିସ ପକ୍ଷରୁ ଅନିମେଷଙ୍କ ବିରୋଧରେ ଏକ ମାମଲା (ନଂ. ୧୫୦/୨୨) ରୁଜୁ କରାଯାଇଥିଲା। ଅନିମେଷଙ୍କୁ ସିଂହଦ୍ୱାର ଥାନାରେ ହାଜର ହୋଇ ଜବାବ ରଖିବା ସହ ଅଧିକ ଅନୁସନ୍ଧାନ ପାଇଁ ୧୬୦ ସିଆର୍‌ପିସିରେ ନୋଟିସ ପଠାଯାଇଥିଲା। ତେବେ ଅନିମେଷ ଥାନାରେ ହାଜର ହେବା ପରିବର୍ତ୍ତେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଏହାପରେ ପୁରୀ ପୋଲିସ ତାଙ୍କୁ ଗିରଫ କରିବାକୁ କୋଲକାତା ଯାଇଥିଲା।

Related Articles

Back to top button