ଆଇପିଏସ୍ ଅଧିକାରୀ ଧିରେନ୍ଦ୍ର ସାମ୍ଭାଜୀ କୁଟ୍ଟେଙ୍କୁ ବିଏସ୍ଏଫ୍ ଆଇଜି ଭାବେ ନିଯୁକ୍ତି
ଏକଦା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅନ୍ୟତମ ପ୍ରମୁଖ ଅଧିକାରୀ ସାଜିଥିବା ଆଇପିଏସ୍ ଅଧିକାରୀ ଧିରେନ୍ଦ୍ର ସାମ୍ଭାଜୀ କୁଟ୍ଟେ ଓରଫ ଡିଏସ୍ କୁଟ୍ଟେଙ୍କୁ ବିଏସ୍ଏଫ୍ ଆଇଜି ଭାବେ ନିଯୁକ୍ତ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ରାଜ୍ୟ ମୁଖ୍ୟ ସଚିବଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଛି। ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରର ଅନ୍ୟତମ ସହଯୋଗୀ ଆଶୀଷ ସିଂହଙ୍କୁ ଆଇଟିବିପି ଆଇଜି ଭାବେ ବଦଳି କରାଯାଇଥିଲା।
ଆଜି ମୁଖ୍ୟ ସଚିବଙ୍କ ଦିଆଯାଇଥିବା ସୂଚନାରେ କେନ୍ଦ୍ର ସରକାରଙ୍କ ଅନୁସଚିବ ସଞ୍ଜୀବକୁମାର କହିଛନ୍ତି, ୧୯୯୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶ୍ରୀ କୁଟ୍ଟେଙ୍କ ଆବେଦନକୁ ସ୍ୱୀକାର କରାଯାଇଛି। ଏହାକୁ ଅନୁମୋଦନ କରାଯିବା ସହ ତାଙ୍କ ଅବସର ଯାଏ ଏହି ଦାୟିତ୍ୱରେ ସେ ରହିବେ ବୋଲି କୁହାଯାଇଛି। ଏଣୁ ତାଙ୍କୁ ତୁରନ୍ତ ତାଙ୍କ କାର୍ଯ୍ୟରେ ଯୋଗଦେବା ଲାଗି ଦାୟିତ୍ୱମୁକ୍ତ କରିବାକୁ ସେ କହିଛନ୍ତି। ଶ୍ରୀ କୁଟ୍ଟେଙ୍କ ଏହି ପଦବୀକୁ କେନ୍ଦ୍ର ସରକାରଙ୍କ ଡେପ୍ୟୁଟେସନ୍ ଭାବେ ଗ୍ରହଣ କରାଯିବ। ସେ ୨୯ ଫେବୃୟାରୀ ୨୦୨୮ ଯାଏ କାର୍ଯ୍ୟ କରିବେ।