ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ବୈଠକ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଆଶଙ୍କା କରିବା ପରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଏକ ବୈଠକ କରିଛନ୍ତି। ଏହି ବୈଠକରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ଏସଆରସି ସତ୍ୟବ୍ରତ ସାହୁ ଆଲୋଚନା କରିଛନ୍ତି। ଏଥିସହ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହେବା ସହ ହେଡ କ୍ୱାର୍ଡରରେ ରହିବାକୁ କୁହାଯାଇଛି। ବୈଠକ ପରେ ଓଏସ୍‌ଡିଏମ୍‌ଏ କାର୍ଯ୍ୟକାରୀ ନିର୍ଦ୍ଦେଶକ ଜ୍ଞାନ ଦାଶ ଏହି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି | ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ସହ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଲଘୁଚାପଟି ଅଧିକ ଘନୀଭୂତ ହେବା ସହ ଏହାର ତୀବ୍ରତା ବଢ଼ିବ ଏବଂ ଏହା କେନ୍ଦ୍ରୀୟ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତିକରିବ।

ଏହାର ପ୍ରଭାବରେ ୨୨ ଅକ୍ଟୋବରରୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ର ଭାଗରେ ଝଡ଼-ପବନ ଘଣ୍ଟା ପ୍ରତି ବେଗ ୪୫ ରୁ ୫୫ କିମି ସହ ସର୍ବାଧିକ ବା ଝଟକା ପବନ ୬୫ କିମି ଯାଏଁ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୨ ଅକ୍ଟୋବରରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ମନା ହୋଇଛି।

Related Articles

Back to top button