
ମହାକୁମ୍ଭରେ ୫୮ କୋଟି ଶ୍ରଦ୍ଧାଳୁଙ୍କ ସ୍ନାନ ପରେ ଗଙ୍ଗା ଜଳର ସୁଦ୍ଧତା ଉପରେ ପଡିନାହିଁ କୌଣସି ପ୍ରଭାବ
ପ୍ରୟାଗରାଜ ମହାକୁମ୍ଭ ଆରମ୍ଭ ହେବା ପରଠୁ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି । ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସ୍ଥାର ବୁଡ ପକାଉଛନ୍ତି । ଗୁରୁବାର ସନ୍ଧ୍ୟା ଆଠ ସୁଦ୍ଧା ୧.୨୮ କୋଟି ଶ୍ରଦ୍ଧାଳୁ ଗଙ୍ଗା ଓ ସଙ୍ଗମରେ ବୁଡ ପକାଇବା ପରେ ମୋଟ୍ ବୁଡ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫୮ କୋଟି ଟପିଛି । ଏତେ ସଂଖ୍ୟାରେ ଲୋକଙ୍କ ସ୍ନାନ ପରେ ଗଙ୍ଗା ଜଳର ସୁଦ୍ଧତା ଉପରେ କୌଣସି ପ୍ରଭାବ ପଡିନାହିଁ । ଜଣେ ବୈଜ୍ଞାନିକ ଦାବି କରିଛନ୍ତି ଯେ, ଗଙ୍ଗା ଜଳ ଅଲକାଲାଇନ ଜଳଠୁ ମଧ୍ୟ ପରିସ୍କାର ରହିଛି ।ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମଙ୍କ ସହିତ ବିଚାର ବିମର୍ଶ କରିଥିବା ପଦ୍ମଶ୍ରୀ ବୈଜ୍ଞାନିକ ଡ. ଅଜୟ କୁମାର ସୋନକର ନିଜ ପ୍ରୟୋଗଶାଳାରେ ଏହା ପ୍ରମାଣିତ କରିଛନ୍ତି ଯେ, ଗଙ୍ଗା ଜଳ କେବଳ ସ୍ନାନ ଯୋଗ୍ୟ ନୁହେଁ ବରଂ ଅଲକାଲାଇନ ଜଳ ପରି ସୁଦ୍ଧ ।
ବୈଜ୍ଞାନିକ ଡ. ଅଜୟ କୁମାର ସୋନକର ଚ୍ୟାଲେଞ୍ଜ କରି କହିଛନ୍ତି, ଯାହା ମନରେ ତିଳେ ବି ସନ୍ଦେହ ରହିଛି, ସେମାନେ ଗଙ୍ଗା ଜଳ ନେଇ ଆସନ୍ତୁ ଏବଂ ପ୍ରୟୋଗଶାଳାରେ ଯାଞ୍ଚ କରି ମନରୁ ସନ୍ଦେହ ଦୂର କରନ୍ତୁ । ବୌଜ୍ଞାନିକ ସଙ୍ଗମ-ଅରେଲ ସମେତ ଗଙ୍ଗାର ୫ ଘାଟର ଜଳ ସଂଗ୍ରହ କରି ଯାଞ୍ଚ କରିଛନ୍ତି । ନିଜର ଗବେଷଣାରୁ ସେ ପାଇଛନ୍ତି ଯେ, ଗଙ୍ଗା ଜଳ ସବୁଠୁ ସୁଦ୍ଧ । ଏଠାରେ ସ୍ନାନ କଲେ କୌଣସି କ୍ଷତି ନାହିଁ । ବ୍ୟାକ୍ଟିରିୟୋଫେଜ କାରଣରୁ ଗଙ୍ଗା ଜଳର ଅଦ୍ଭୁତ ସ୍ୱଚ୍ଛତାର କ୍ଷମତା ବଜାୟ ରହିଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ, ଗଙ୍ଗା ଜଳ ସ୍ନାନ କରିବା ଯୋଗ୍ୟ ନୁହେଁ । ଜଳ ସଂପୂର୍ଣ୍ଣ ଦୂଷିତ ହୋଇ ସାରିଛି । ଏହାକୁ ନେଇ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ଜଳକୁ ନେଇ ଗବେଷଣାର ଆବଶ୍ୟକତା ଥିବା କୁହାଯାଇଥିଲା ।