ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆରମ୍ଭ ହେବ ‘ହାଉସ୍‌ ସିଷ୍ଟମ୍‌

ଭୁବନେଶ୍ୱର: ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ଆରମ୍ଭ ହେବ ‘ହାଉସ୍‌ ସିଷ୍ଟମ୍‌’। ସ୍କୁଲ୍‌ରେ ଛାତ୍ରୀଛାତ୍ରଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ହାଉସ୍‌ ଗଠନ କରାଯିବ ଏବଂ ପ୍ରତ୍ୟେକ ହାଉସ୍‌ରେ ଉଭୟ ଛାତ୍ରୀ ଏବଂ ଛାତ୍ର ରହିବେ। ସପ୍ତାହର ପ୍ରତ୍ୟେକ ଶନିବାର ଛାତ୍ରୀଛାତ୍ରମାନେ ବିଭିନ୍ନ ପ୍ରକାର ସହପାଠ୍ୟଭିତ୍ତିକ ଏବଂ ଆକାଂକ୍ଷିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଆଗାମୀ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଏହି ହାଉସ୍‌ ବ୍ୟବସ୍ଥା ଲାଗୁ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି ଏସ୍‌. କହିଛନ୍ତି। ସେହିପରି ସ୍କୁଲ ଶିକ୍ଷାରେ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ପୂର୍ବରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଥିବା ସ୍କୁଲ୍‌ କ୍ୟାବିନେଟ୍‌କୁ ଅଧିକ କାର୍ଯ୍ୟକ୍ଷମ କରାଯିବ ବୋଲି ସଚିବ କହିଛନ୍ତି।

ବୁଧବାର ‘ମୋ ସ୍କୁଲ୍‌ ଅଭିଯାନ’ର ୩୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଯୋଗଦେଇ ବିଭାଗୀୟ ଶାସନ ସଚିବ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଷ୍ଟୁଡେଣ୍ଟ ଡାଏରୀ ବାଧ୍ୟତାମୂଳକ କରିବା ଏବଂ ପ୍ରତ୍ୟେକ ବିଦ୍ୟାଳୟରେ ଏକାଡେମିକ୍‌ କ୍ୟାଲେଣ୍ଡର୍‌ ପ୍ରଚଳନ କରିବାକୁ କହିଥିଲେ। ସେହିଭଳି ଆସନ୍ତା ଫେବୃୟାରୀରେ ପୁରାତନ ଛାତ୍ରୀଛାତ୍ରଙ୍କ ସହ ସମସ୍ତ ଜିଲାର ଜିଲା ଶିକ୍ଷାଧିକାରୀ ଏବଂ ଜିଲାପାଳଙ୍କୁ ନେଇ ‘ମୋ ସ୍କୁଲ୍‌’ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ‘ମୋ ସ୍କୁଲ୍‌ ଅଭିଯାନ’ ଅଧୀନରେ ଭଲ ପ୍ରଦର୍ଶନ କରିଥିବା ଜିଲାମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ। ବୈଠକରେ ଓଡ଼ିଶାର ୨୮ଟି ଜିଲାର ମୋଟ ୨୩୦ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯାହାକି ୩,୮୨୦ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିନିଯୋଗ ହେବ।

Related Articles

Back to top button