ଆଗେଇଲା ବହୁ ପ୍ରତୀକ୍ଷିତ ଗୋପାଳପୁର-ସମ୍ବଲପୁର ରେଳପଥ କାମ

ବ୍ରହ୍ମପୁର : ବହୁ ପ୍ରତୀକ୍ଷିତ ଗୋପାଳପୁର-ସମ୍ବଲପୁର ରେଳପଥ କାମ ଶେଷରେ ଆଗେଇଛି। ଓରିଡିଏଲ୍‌ (ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍‌) ତରଫରୁ ଚୂଡ଼ାନ୍ତ ଲୋକେସନ୍‌ ସର୍ଭେ ବା ସ୍ଥଳ ସର୍ବେକ୍ଷଣ କାମ ଆରମ୍ଭ ହୋଇଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଗୋପାଳପୁର ବନ୍ଦରଠାରୁ ଜଗନ୍ନାଥପୁର ରେଳଷ୍ଟେସନ୍‌ ପର୍ଯ୍ୟନ୍ତ ନୂତନ ରେଳଲାଇନ ପାଇଁ ଜମି ଚିହ୍ନଟ କରାଯାଉଛି। ଏହି ପ୍ରକଳ୍ପର ରେଳଲାଇନ ଗୋପାଳପୁର ବନ୍ଦରରୁ ମାଣ୍ଡିଆପଲ୍ଲୀ ଓ ଟାଟା ଷ୍ଟିଲ୍‌ କାରଖାନା ପାର୍ଶ୍ବ ହୋଇ ଜଗନ୍ନାଥପୁର ରେଳଷ୍ଟେସନକୁ ଛୁଇଁବ। ଏଥିପାଇଁ ଓରିଡିଏଲ୍‌ ତରଫରୁ ମାଣ୍ଡିଆପଲ୍ଲୀର ପ୍ରସ୍ତାବିତ ଜାଗାଗୁଡ଼ିକରେ ଖୁଣ୍ଟି ପୋତା ଯାଇଛି। ଫଳରେ, ଖୁବ୍‌ଶୀଘ୍ର ଚୂଡ଼ାନ୍ତ ସ୍ଥଳ ସର୍ବେକ୍ଷଣ କରାଯାଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପି୍ଆର୍‌) ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।

ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହରକୁ ସିଧାସଳଖ ପଶ୍ଚିମ ଓଡ଼ିଶାର ସମ୍ବଲପୁର ସହିତ ଯୋଡ଼ିବା ପାଇଁ ନୂତନ ରେଳପଥ ନିର୍ମାଣ କରିବା ନିମନ୍ତେ ଦୀର୍ଘବର୍ଷ ହେଲା ଯୋଜନା ହୋଇଛି। ବିଳମ୍ବରେ ହେଉ ପଛରେ ଏହି ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଗତ ୨୦୧୦-୧୧ରେ ସର୍ଭେ କରିବା ପାଇଁ ପୂର୍ବତଟ ରେଳ ବିଭାଗକୁ ଅନୁମତି ମିଳିଥିଲା। ସେହି ଅନୁମତି କ୍ରମେ ପ୍ରାଥମିକ ସର୍ଭେ ସରିଥିଲା। ମାତ୍ର, ଏହା ସତ୍ତ୍ବେ ବି ଦୀର୍ଘଦିନ ଧରି ଏହି ପ୍ରକଳ୍ପ ଶୀତଳଭଣ୍ଡାରରେ ପଡ଼ିରହିଥିଲା। ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ମହଲରେ ଦାବି ହୋଇଥିଲା। ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାର ଆଇନଜୀବୀମାନେ ଏକଜୁଟ୍‌ ହୋଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗଠନ କରି ଜୋର୍‌ଦାର୍‌ ଆନ୍ଦୋଳନ ଆରମ୍ଭ କରିଥିଲେ। ଏବେ କାମ ଆଗେଇଥିବାରୁ ଏହି ପ୍ରକଳ୍ପକୁ ନେଇ ଆଶା ସଞ୍ଚାର ହୋଇଛି। ରେଳ ବିଭାଗର ପ୍ରସ୍ତାବ ଅନୁସାରେ ଜଗନ୍ନାଥପୁରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ନୂତନ ଭାବେ ୨୪୦କିମି ରେଲଲାଇନ ତିଆରି କରାଯିବ। ସେହିପରି କଦଳୀଗଡ଼ରୁ ବାମୁର ୱାଇ ଲିଙ୍କ୍‌ ୨୫କିମି ଓ ଜଗନ୍ନାଥପୁରରୁ ଗୋପାଳପୁର ବନ୍ଦରକୁ ସଂଯୋଗ କରିବା ପାଇଁ ୧୦କିମି ରେଳଲାଇନ୍‌ ତିଆରି କରାଯିବ। ନୂତନ ରେଳଲାଇନ ୨୭୫କିମି ରହିବ। ଉଲ୍ଲେଖଯୋଗ୍ୟ ଯେ ଚଳିତ ରେଳବଜେଟ୍‌ରେ ମନ୍ତ୍ରାଳୟ ତରଫରୁ ଏହି ପ୍ରକଳ୍ପ ପାଇଁ ୧୦କୋଟି ଟଙ୍କା ମଞ୍ଜୁର ହୋଇଛି।

Related Articles

Back to top button