ସିସିଆର ରିପୋର୍ଟରେ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରି ଗିରଫ ହେଲେ କାମାକ୍ଷାନଗର ରାଜସ୍ୱ ନିରୀକ୍ଷକ
କାମାକ୍ଷାନଗର: ସିସିଆର ରିପୋର୍ଟରେ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରି ଫସିଲେ ରାଜସ୍ୱ ନିରୀକ୍ଷକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ ବିଶ୍ଵନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି। ୨୦୧୮ ମସିହାରେ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଓ ଭୁବନ ତହସିଲରେ କାର୍ଯ୍ୟ କରୁଥିଲେ ବିଶ୍ଵନାଥ ପ୍ରଧାନ । ସେତେବେଳେ ନିଜ ସିସିଆରରେ ତତ୍କାଳୀନ ଜିଲ୍ଲାପାଳ ରୂପା ରୋଶନ ସାହୁଙ୍କ ଜାଲ ଦସ୍ତଖତ ମାରିଥିଲେ ବିଶ୍ୱନାଥ।
ମାମଲାରେ ୫ ବର୍ଷ ପରେ ଟାଉନ ଥାନା ପୋଲିସ ଗୁରୁବାର ବିଶ୍ଵନାଥକୁ କାମାକ୍ଷାନଗରରୁ ଗିରଫ କରିଛି । ଏଥି ସହିତ ରାଜସ୍ବ ନିରୀକ୍ଷକଙ୍କ ସିସିଆର ଓ ଅନ୍ୟ ଦସ୍ତାବିଜକୁ ଜବତ କରି ଯାଞ୍ଚ କରାଯାଉଛି। ବିଶ୍ୱନାଥ ନିଜ ସିସିଆରରେ ତାଙ୍କ କାର୍ଯ୍ୟ ଦକ୍ଷତା ଅତି ସନ୍ତୋଷ ଜନକ ବୋଲି ଲେଖି ଢେଙ୍କାନାଳର ତତ୍କାଳୀନ ଜିଲ୍ଲାପାଳ ରୂପା ରୋଶନ ସାହୁଙ୍କ ଜାଲ ଦସ୍ତଖତ କରିଥିଲେ।
ଏ ସମ୍ପର୍କରେ ଜଣାପଡିବା ପରେ ତତ୍କାଳୀନ ଜିଲ୍ଲାପାଳ ରୂପା ରୋଶନ ସାହୁ ଏହା ତାଙ୍କ ଦସ୍ତଖତ ନୁହେଁ ବୋଲି କହିବା ପରେ ତାଙ୍କ ପରେ ଜିଲ୍ଲାପାଳ ଥିବା ନିଖିଲ ପବନ କଲ୍ୟାଣ ଟାଉନ୍ ଥାନାରେ ଏତଲା ଦେଇଥିଲେ। ଟାଉନ ଥାନାରେ ଏନେଇ ୨୦୧୭ରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।
୫ ବର୍ଷ ପରେ ଟାଉନ ଥାନା ପୋଲିସ ଏହି ମାମଲାର ତଦନ୍ତ କରି ବର୍ତ୍ତମାନ କାମାକ୍ଷାନଗର ତହସିଲରେ କାର୍ଯ୍ୟରତ ରାଜସ୍ୱ ନୀରିକ୍ଷକ ବିଶ୍ଵନାଥ ପ୍ରଧାନଙ୍କୁ ପ୍ରମାଣ ସହ ଗିରଫ କରିଛି। ଏଥିସହିତ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳଙ୍କ ଷ୍ଟେନୋ ଓ ପୂର୍ବତନ ଜିଲ୍ଲାପାଳଙ୍କ ଗାଡ଼ା ଚଳାଉଥିବା ଚାଳକଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ଜଣାପଡ଼ିଛି।