ପୁରୀରୁ ନକଲି ଭିଜିଲାନ୍ସ ଅଧିକାରୀ ଗିରଫ

ଭୁବନେଶ୍ୱର: ପୁରୀରୁ ନକଲି ଭିଜିଲାନ୍ସ ଅଧିକାରୀ ଗିରଫ । ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭୟଭୀତ କରାଇବା, ଲାଞ୍ଚ ନେବା ଓ ବଟି ଆଦାୟ କରୁଥିବା ଅଭିଯୋଗରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ଦେବେନ୍ଦ୍ର ମାଝୀ।

ଦେବେନ୍ଦ୍ର ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଜଣେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ୧ କୋଟି ଟଙ୍କା ମାଗିଥିଲେ । ଏନେଇ ଅଭିଯୋଗ ପରେ ରେଡ୍ କରିଥିଲା ଏସଟିଏଫ୍ । କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଫୁଲବାରି ଗାଁରେ ଏସଟିଏଫ୍ ଚଢ଼ାଉ କରିବା ସହ ଦେବେନ୍ଦ୍ର ମାଝୀଙ୍କୁ ଗିରଫ କରିଛି।

ଜେରା ବେଳେ ଦେବେନ୍ଦ୍ର ମାନିଛି, ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ସେ ବିଭିନ୍ନ ସରକାରୀ ଅଧିକାରୀ ଏବଂ କିଛି ଠିକାଦାରଙ୍କଠାରୁ ଟଙ୍କା ନେଇଛି । ଏପରିକି ସରକାରୀ ଚାକିରି କରାଇ ଦେବା ନାଁରେ ସେ କିଛି ଆଶାୟୀଙ୍କଠାରୁ ଟଙ୍କା ନେଇଥିବା ମାନିଛି ।

ତଦନ୍ତ ବେଳେ ଜଣା ପଡ଼ିଛି ଦେବେନ୍ଦ୍ର ମାଝୀ ଉଚ୍ଚଶିକ୍ଷିତ । କେମେଷ୍ଟ୍ରିରେ ଦେବେନ୍ଦ୍ର ଏମଏସସି କରିବା ସହ ସମ୍ବଲପୁରର ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ଦେବେନ୍ଦ୍ରଙ୍କୁ ଏସଟିଏଫ୍ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

Related Articles

Back to top button