ଭୁବନେଶ୍ୱରରେ ଅର୍ଥମନ୍ତ୍ରୀଙ୍କ ପୋଷ୍ଟ ବଜେଟ ଆଲୋଚନା: ୫୦ ବର୍ଷ ବିନା ସୁଧରେ ଋଣ ପାଇବେ ରାଜ୍ୟ
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ। ହୋଟେଲ ‘ମେ ଫେୟାର’ରେ ଆୟୋଜିତ ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ଭାଗ ନେଇ ନିର୍ମଳା କହିଛନ୍ତି, ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ ବଜେଟ। ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ ୧୦ ଲକ୍ଷ କୋଟି ବ୍ୟୟବରାଦ ହୋଇଛି। ରାଜ୍ୟଗୁଡ଼ିକ ଲାଗି ୫୦ ବର୍ଷ ଲାଗି ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛି ।
ୟୁପିଏ ଓ ଏନଡିଏ ସରକାରର ଏକ ତୁଳନାତ୍ମକ ଚିତ୍ର ଦେଇ ନିର୍ମଳା କହିଛନ୍ତି, ୨୦୨୩ ବଜେଟରେ ଅନୁସୂଚିତ ଜାତି ଓ ଜନଜାତି ତଥା ଆଦିବାସୀଙ୍କ ବିକାଶ ଲାଗି ବଜେଟରେ ଗୁରୁତ୍ବ ଦିଆଯାଇଛି। ବଜେଟରେ ମନରେଗା ପାଇଁ ଅନୁଦାନ ହ୍ରାସ ପାଇନି । ଆବାସ ଯୋଜନା, ହର ଘର୍ ନଲ ଆଦି ଯୋଜନାରୁ ସେମାନଙ୍କୁ ବହୁତ ଫାଇଦା ମିଳିବ। ଦେଶର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ଵ ଦେଇ ପ୍ରସ୍ତୁତ ହୋଇଛି ଏହି ବଜେଟ । ୫୦୦ ଆକାଙ୍କ୍ଷୀ ବ୍ଳକ୍ ଚିହ୍ନଟ କରାଯାଇ ସେସବୁ ଅଞ୍ଚଳରେ ମୌଳିକ ସୁବିଧା ଓ ଭିତ୍ତଭୂମି ବିକାଶକୁ ଗୁରୁତ୍ଵ ଦିଆଯିବ।