ଜଳୁଛି ଦେବଗିରି ପାହାଡ଼ ଜଙ୍ଗଲ
ସୋର: ହୁତୁହୁତୁ ହୋଇ ଜଳୁଛି ଦେବଗିରି ପାହାଡ଼ ଜଙ୍ଗଲ। ନିଆଁ ଲିଭାଇବାକୁ ନାକେଦମ୍ ହେଲେଣି ବନ କର୍ମଚାରୀ। ବନାଗ୍ନିକୁ ରୋକିବା ଲାଗି କେବଳ ସଚେତନତା କାର୍ଯ୍ୟକ୍ରମରେ କର୍ମଚାରୀମାନେ ବ୍ୟସ୍ତ ରହୁଥିବା ବେଳେ ଏହାର ସୁଯୋଗ ନେଇ ନିଆଁ ଲଗାଉଛନ୍ତି ଅସାମାଜିକ ବ୍ୟକ୍ତି। ଗତ ଫେବ୍ରୁଆରି ମାସ ୩, ୭ ଓ ୨୭ ତାରିଖ ତିନିଦିନ ଧରି ଜଳିଥିଲା ଜଙ୍ଗଲ। ଗତକାଲିଠାରୁ ଔପଦା ଓ କୁଲଡ଼ିହା ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଏହାକୁ ଲିଭାଇବାରେ ସଫଳ ହୋଇ ପାରୁନାହାନ୍ତି ବନ କର୍ମଚାରୀ। ଔପଦା ରେଞ୍ଜ ଅନ୍ତର୍ଗତ ଖୁଣ୍ଟାପାଟଣା, ମଙ୍ଗଳପୁର ଓ ବାଘଆମ୍ପୁଡା ବିଟ୍ ଅନ୍ତର୍ଗତ ଦେବଗିରି ପାହାଡ଼, ଶାଗୁଣାଝର, ହାଟଚତୁରୀ, ବାଇଶିପାହାଚ, ହଦ, ଖଡ଼ିବଣିଆ ଆଦି ଅଞ୍ଚଳରେ ୨୫ ଏକରରୁ ଊର୍ଦ୍ଧ୍ବ ଜଙ୍ଗଲରେ ନିଆଁ ଲାଗିଛି।
୨୪ ଘଣ୍ଟା ଧରି ନିଆଁ ଜଳୁଥିଲେ ସୁଦ୍ଧା ସମସ୍ତେ ଦେଖଣାହାରୀ ସାଜିଛନ୍ତି। ଅବଶ୍ୟ ଗ୍ରାମବାସୀଙ୍କ ସହାୟତାରେ ବନ କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ହେଲେ ସେଥିରେ ଦାବାଗ୍ନିକୁ ନିୟନ୍ତ୍ରଣ କରାଯାଇପାରିନାହିଁ। ବରଂ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ନିଆଁ ମାଡ଼ି ଚାଲିଛି। ବନାଗ୍ନିରେ ଜଙ୍ଗଲ ପୋଡ଼ି ପାଉଁଶ ହୋଇଯିବା ସହ ଅନେକ ମୂଲ୍ୟବାନ ଔଷଧୀୟ ବୃକ୍ଷରାଜି ନିଶ୍ଚିହ୍ନ ହୋଇଯାଇଛି। ପଶୁପକ୍ଷୀ ଛଟପଟ ହୋଇ ଭୀତତ୍ରସ୍ତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ଠିକ୍ ଭାବେ ପାଟ୍ରୋଲିଂ କରାଯାଉନଥିବାରୁ ଅସାମାଜିକ ବ୍ୟକ୍ତି ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଖୁଣ୍ଟାପଟଣା ବନ ଅଧିକାରୀ କିଶୋରଚନ୍ଦ୍ର ଭୂୟାଁଙ୍କୁ ପଚରାଯିବାରୁ ସେ ନିଜ ଅଞ୍ଚଳ ଛଡା ଅନ୍ୟ କୌଣସି ବିଷୟରେ ଜାଣିନଥିବା କହିଥିଲେ। ତେବେ ତାଙ୍କ ଅଞ୍ଚଳରେ ମାତ୍ର ଅଢେଇ ଏକର ଜଙ୍ଗଲରେ ନିଆଁ ଲାଗିଥିବାର ସେ କହିଥିଲେ ମଧ୍ୟ ବାସ୍ତବରେ ଅଧିକ ଅଞ୍ଚଳରେ ନିଆଁ ଲାଗିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।