ଜୁନ୍ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ଉଡ଼ିବ ଇଣ୍ଡିଗୋ ଏୟାରଲାଇନ୍ସ ବିମାନ
ଭୁବନେଶ୍ବର: ଜୁନ୍ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ବିମାନ ଉଡ଼ାଣ ଆରମ୍ଭ କରିବ। ଇଣ୍ଡିଗୋ ଏୟାରଲାଇନ୍ସ ମେ ୧୫ରେ ଭୁବନେଶ୍ୱରରୁ ଦୁବାଇକୁ ବିମାନ ଉଡ଼ାଣ କରିବା ନେଇ ଟିକେଟ୍ ବୁକିଂ ଆରମ୍ଭ କରିଥିବାବେଳେ ଖୁବ୍ ଶୀଘ୍ର ସିଙ୍ଗାପୁର ଓ ବ୍ୟାଙ୍କକ୍ ନେଇ ବୁକିଂ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ଜୁନ୍ ୩ରୁ ସପ୍ତାହକୁ ଦୁଇଦିନ ଲେଖାଏ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ଉଡ଼ାଣ ଆରମ୍ଭ କରିବ। ବିମାନଟି ମଙ୍ଗଳବାର ଓ ଶନିବାର ଅପରାହ୍ନ ୩ଟା ୩୦ରେ ସିଙ୍ଗାପୁରରୁ ଆସି ଭୁବନେଶ୍ବରରେ ପହଞ୍ଚିବାକୁ ଥିବାବେଳେ ଏଠାରୁ ସଂଧ୍ୟା ୬ଟା ୨୫ରେ ସିଙ୍ଗାପୁର ଅଭିମୁଖେ ଉଡ଼ାଣ କରିବ। ସେହିପରି ମଙ୍ଗଳବାର ଓ ଶନିବାର ଅପରାହ୍ନ ୪ଟା ୫୦ରେ ଭୁବନେଶ୍ବରୁ ବ୍ୟାଙ୍କକ୍ ଅଭିମୁଖେ ଉଡ଼ାଣ କରିବାକୁ ଥିବାବେଳେ ବ୍ୟାଙ୍କକ୍ରୁ ବୁଧବାର ଓ ରବିବାର ଭୁବନେଶ୍ବର ଆସିବ। ଏଠାରେ ସଂଧ୍ୟା ୬ଟା ୫୫ରେ ଅବତରଣ କରିବ। ଏବେ ଟି-୨ ଟର୍ମିନାଲ ପୁନରୁଦ୍ଧାର କାମ ଚାଲିଥିଲେ ବି ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।