ସୁବର୍ଣ୍ଣରେଖା କ୍ରମାଗତ ଭାବେ ବଢୁଛି ନଦୀର ଜଳପତ୍ତନ : ତଳିଆ ଅଞ୍ଚଳରେ ବନ୍ୟାଜଳ

ଝାଡ଼ଖଣ୍ଡରେ ଲଘୁଚାପଜନିତ ପ୍ରବଳ ବର୍ଷା ହେବା ଫଳରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ କ୍ରମାଗତ ଭାବେ ବଢ଼ିଚାଲିଛି। ଉତ୍ତର ବାଲେଶ୍ୱରରେ ବର୍ଷା ନଥିବାବେଳେ ଗୁରୁବାର ମଧ୍ୟରାତ୍ରରେ ସୁବର୍ଣ୍ଣରେଖା ନଦୀ ଫୁଲିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ରାଜଘାଟଠାରେ ନଦୀର ବିପଦ ସଙ୍କେତ ୯.୪୫ ମିଟର ଥିବାବେଳେ ସନ୍ଧ୍ୟା ସମୟରେ ଜଳସ୍ରୋତ ବିପଦ ସଂକେତ ଉପରେ, ୧୦. ୮୮ ମିଟରରେ ପ୍ରବାହିତ ହେଉଥିଲା।

ନଦୀରେ ହଠାତ ବନ୍ୟା ଜଳ ଦେଖି ବସ୍ତା, ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରବଳ ବର୍ଷା ପାଇଁ ଝାଡ଼ଖଣ୍ଡର ଚାନ୍ଦିଲ ବନ୍ଧର ଅନେକ ଫାଟକ ଖୋଲି ଦିଆଯିବା ଓ ଗାଲୁଡିହି ବ୍ୟା‌େ‌ରଜରୁ ହଠାତ ୨ ଲକ୍ଷ ୪୩ ହଜାର କ୍ୟୁସେକ୍‌ ପାଣି ଛାଡ଼ି ଦେବା ଯୋଗୁଁଁ ଏଭଳି ପରିସ୍ଥିତି ଉପୁଜିଛି। ଫଳରେ ବାଲିଆପାଳ ବ୍ଲକର ନଦୀକୂଳିଆ ଅସ୍ତି, ବିଷ୍ଣୁପୁର, ଜାମକୁଣ୍ଡା, ବାଲିଆପାଳ, କୁମ୍ଭାରୀ, ନିଖିରା ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମର ଅଧିବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଖବର ପାଇ ଅତିରିକ୍ତ ଜିଲାପାଳ ହେମନ୍ତ ସିଂହ, ବସ୍ତା ତହସିଲଦାର ସୁଶାନ୍ତ ପଟ୍ଟନାୟକ ଓ ଅନ୍ୟ ଅଧିକାରୀ ସୁବର୍ଣ୍ଣରେଖା ବନ୍ୟାଞ୍ଚଳ ଗସ୍ତ କରି ଲୋକଙ୍କୁ ନିର୍ଭୟ ରହିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ, ବାଲି ବସ୍ତା ଓ ଆବଶ୍ୟକ ଉପକରଣ ମହଜୁଦ ଥିବା ପ୍ରକାଶ କରିଛନ୍ତି।

ସେହିପରି ଭୋଗରାଇ ବ୍ଲକ, ୨୨ ପଞ୍ଚାୟତର ଶତାଧିକ ଗାଁର ଅଧିବାସୀ ଛାନିଆ ହୋଇପଡ଼ିଛନ୍ତି। ବନ୍ୟା ଆସିଲେ ଦକ୍ଷିଣ ଭୋଗରାଇର କୁମ୍ଭୀରଗଡ଼ି ଓ ଜୟରାମପୁର ପଞ୍ଚାୟତର ଠାକୁର ଭଉଁରୀ, ଖାଡିକାବାଡିଆ, କାଠକଟା ଆଦି ଗାଁ ଅଧିକ ପ୍ରଭାବିତ ହେବା ନିଶ୍ଚିତ। ଅନୁରୂପ ଭାବେ କୁମ୍ଭୀରଗଡ଼ି ପଞ୍ଚାୟତର ପନ୍ତାଇ, କୋଲ୍ହା, ଖଳା ବାଡ଼ିଆ ସମେତ ନଦୀକୂଳିଆ ଗାଁ ରସଲପୁର, ହୁଡାପାଳ, ମନୁନଗର, ମହମ୍ମଦ ନଗର ପାଟଣା, ଚିରକୁଲା, ହରିଣକୁଲି, ମିଆଁ ପାଟଣା, ଗବଗାଁ, କୁଶୁଡା ଭଳି ଅନେକ ଗାଁ ପ୍ରଭାବିତ ହେବ। ବନ୍ୟାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣରେରେଖାରୁ ଜଳ ପ୍ରବେଶ କରୁଥବା ଓ ନିଷ୍କାସିତ ହେଉଥିବା ଭୁଆ ବନ୍ଧର ଭଣ୍ଡାରିଆ, ବାରମାଣିଆ ଭଳି ସମସ୍ତ ସ୍ଲୁଇସ୍‌ ଗେଟ ଉପରେ ଜଳ ସମ୍ପଦ ବିଭାଗ ତୀକ୍ଷ୍ଣ ନଜର ରଖିବା ଜରୁରୀ ହୋଇପଡ଼ିଛି।

ଜଳେଶ୍ବର ଅଞ୍ଚଳରେ ଭୋର ସମୟରେ ନଦୀରେ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା କାଠପୋଲଗୁଡିକ ଭାସିଯିବା ସହିତ ନଦୀକୂଳ ଗ୍ରାମ ନିକଟରେ ବନ୍ଧା ହୋଇଥିବା ବହୁ ନୌକା ନିଖୋଜ ରହିଛି। ଜଳସ୍ରୋତକୁ ଲକ୍ଷ୍ୟ କରି ଜଳେଶ୍ୱରର ବିଡିଓ ଗୌରାଙ୍ଗ ଚରଣ ଘୋଷ, ଅତିରିକ୍ତ ତହସିଲଦାର ନିଧି ବେହେରା, ରାଜସ୍ବ ନିରୀକ୍ଷକ, ଜଳସେଚନ ବିଭାଗ ଏସ୍‌ଡିଓ ବିଭିନ୍ନ ତଳିଆ ଅଞ୍ଚଳ ବୁଲୁଥିବାବେଳେ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତର ମେଳକଗାଁ ଜଳାର୍ଣ୍ଣବ ହୋଇଛି। ଏହାବ୍ୟତୀତ ପାଇକସିଦା, ପଶ୍ଚିମବାର୍ଡ, ବାଇଗଣବାଡିଆ, ଖରିଦପିମ୍ପଳ, ଗଡ଼ସାହିବାଲିଆପାଳ, ରାୟାଁରାମଚନ୍ଦ୍ରପୁର, ମହମ୍ମଦନଗରପାଟଣା, ଶିଖରପୁର ଇତ୍ୟାଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ଖାଳ ଓ ନାଳ ଦ୍ୱାରା ବନ୍ୟାପାଣି ପ୍ରବାହିତ ହୋଇ ଚାଷ ଜମିରେ ପ୍ରବେଶ କରିଛି। ସେହିପରି ତଳିଆ ଅଞ୍ଚଳରେ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନବକୁମାର ମହାଳିକ ନଦୀର ଦୁର୍ବଳ ବନ୍ଧଠାରେ ବାଲିବସ୍ତା ମହଜୁଦ ରଖାଯାଇଥିବା କହିଛନ୍ତି। ବନ୍ୟା ପ୍ରତି ସତର୍କ ଦୃଷ୍ଟି ରଖାଯାଇଥିବା ବେଳେ ଜଳେଶ୍ୱରର ବିଭିନ୍ନ ପଞ୍ଚାୟତରେ ସରକାରୀ କର୍ମଚାରୀଙ୍କୁ ମୁତୟନ କରାଯିବା ସହିତ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷ ମହଜୁଦ ରଖାଯାଇଥିବା ସଂପର୍କରେ ବିଡିଓ ଶ୍ରୀ ଘୋଷ କହିଛନ୍ତି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସତର୍କ ଓ ସଚେତନ କରାଯାଇଛି। ସେହିପରି ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ ଜିଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ଜଣାପଡିଛି।

Related Articles

Back to top button