
ସୈାମ୍ୟାଶ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ
ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁକୁ ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ମାନ୍ୟବର ଉଚ୍ଚ ଅଦାଲତ ମଙ୍ଗଳବାର ଶୁଣାଣି କରିଛନ୍ତି । ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କରିଛନ୍ତି । ବାରମ୍ବାର ଆନ୍ଦୋଳନ କରି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଥିବା ଦୁଇ ରାଜନୈତିକ ଦଳ ବିଜେଡ଼ି ଓ କଂଗ୍ରେସକୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି ।
ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଆଇନଜୀବୀ ଶିବ ଶଙ୍କର ମହାନ୍ତି ଏସ୍ଆଇଟି ତଦନ୍ତ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଓ ବିଚାରପତି ମାନସ ରଞ୍ଜନ ପାଠକଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କରିଛନ୍ତି । ଏସଆଇଟି ତଦନ୍ତର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ ।
ଅନ୍ୟପକ୍ଷରେ ବଳଙ୍ଗା ଥାନା ଅଧୀନରେ ଏକ ନାବାଳିକାଙ୍କୁ ପୋଡି ହତ୍ୟା ଉଦ୍ୟମ କରିବା ଘଟଣାରେ ଏମ୍ସ ମେଡ଼ିକାଲ ପରିସରରେ ବିଜେଡି ଓ କଂଗ୍ରେସର ବିକ୍ଷୋଭକୁ ନେଇ ଆଇନଜୀବୀ ଶିବ ଶଙ୍କର ମହାନ୍ତି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାକୁ ନେଇ ହାଇକୋର୍ଟ ଦୁଇ ରାଜନୈତିକ ଦଳ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଏମ୍ସର ବର୍ଣ୍ଣ .ୟୁନିଟ ନିକଟରେ ବିଜେଡ଼ି ଓ କଂଗ୍ରେସ କର୍ମକର୍ତ୍ତାଙ୍କ ଆନ୍ଦୋଳନ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା କାରଣରୁ ଦୁଇ ଦଳକୁ ନୋଟିସ ଜାରି କରିଛନ୍ତି କୋର୍ଟ । ପରବର୍ତ୍ତୀ ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ରାଜ୍ୟ ମୁଖ୍ୟ ସଚିବ, ପୋଲିସ ଡିଜି, ୟୁଜିସି, ବିଜେଡି ଓ କଂଗ୍ରେସ ପକ୍ଷଭୁକ୍ତ ହୋଇଥିଲେ ।