ଖଲ୍ଲିକୋଟ ବନାଞ୍ଚଳରେ ଡାଳ ଖାଇଲା ବୋଲି ୩ ଦିନ ହେଲା ଛେଳିକୁ ଅଟକ ରଖିଛି ବନ ବିଭାଗ

ଖଲ୍ଲିକୋଟ: ଜଙ୍ଗଲରୁ ମୁଲ୍ୟବାନ ଗଛ କାଟି କାଠ ମାଫିଆ ଖସି ଯାଉଛନ୍ତି, କିନ୍ତୁ ଡାଳ ଖାଇଲା ବୋଲି ୩ ଦିନ ହେଲା ବନ କର୍ମଚାରୀଙ୍କ ଅଫିସରେ ଛେଳି ଅଟକ ଅଛି। ଏଭଳି ଏକ ବିଚିତ୍ର ଘଟଣା  ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ । ଜଙ୍ଗଲରେ ଚରୁଥିବା ବେଳେ ଡାଳ ଖାଇଲା ବୋଲି ଛେଳିକୁ ନେଇଯାଇଛନ୍ତି ବନ କର୍ମଚାରୀ  ।

ଖଲ୍ଲିକୋଟ ବ୍ଲକ ମଥୁରା ପଂଚାୟତର ଭରାଷା ନୂଆପଲ୍ଲୀ ଗ୍ରାମରେ ଥିବା ଏକ ପାହଡରେ କିଛି ଲୋକ ନିଜ ଛେଳି ଗୋଠ ନେଇ ଚରାଇବାକୁ ଯାଇଥିଲେ  । କିନ୍ତୁ କିଛି ଛେଳି ବନ ବିଭାଗ ବୃକ୍ଷ ରୋପଣ କରିଥିବା କିଛି ଗଛର ଡାଳକୁ ଖାଇ ଦେଇଥିଲେ । ଆଉ ଏଥିରେ ରାଗି ଯାଇ ସେଠାରେ ଗଛର ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା ଦୁଇ ଜଣ ବନ କର୍ମଚାରୀ ଛେଳି ଗୋଠର ମାଲ୍ଲିକକୁ ଗାଳି ଗୁଲଜ କରି ନିଜ ସାଙ୍ଗରେ ଛେଳିଟିକୁ ନେଇଯାଇଥିଲେ  । ଛେଳିଟିକୁ ଛାଡିବା ପାଇଁ ବନ କର୍ମଚାରୀଙ୍କୁ ଗୋଠ ମାଲିକ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନଥିବା ଅଭିଯୋଗ ହୋଇଛି। ୩ ଦିନ ହେଲା ଛେଳିଟିକୁ ବନ କର୍ମଚାରୀ ଖଲ୍ଲିକୋଟ ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପୋଷ୍ଟମର୍ଟମ ରୁମରେ ବନ୍ଦୀ କରି ରଖିଛନ୍ତି ।

ଖଲ୍ଲିକୋଟର ବିଭିନ୍ନ ଜଙ୍ଗଲରୁ ବାରମ୍ବାର ମୁଲ୍ୟବାନ ଶାଗୁଆନ କାଠ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି। କାଠ ମାଫିଆଙ୍କୁ ଧରିବାରେ ବନ ବିଭାଗ ସଫଳ ହୋଇପାରିନି କିନ୍ତୁ କିନ୍ତୁ ଗଛର ଡାଳ ଖାଇଦେଲା ବୋଲି ଛେଳିକୁ ବନ୍ଦୀ କରି ରଖିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Related Articles

Back to top button