ଛୁଆକୁ ପାଇ ଶାନ୍ତ ହେଲା ନରହନ୍ତା ହାତୀ: ନରସିଂହପୁର ଜଙ୍ଗଲରେ ମା’ ଓ ଛୁଆ ହାତୀକୁ ଛାଡ଼ିଲା ବନ ବିଭାଗ

ଢେଙ୍କାନାଳକଟକ ଜଗତପୁରରେ ନିଜ ଛୁଆକୁ ହଜାଇ ଆତଙ୍କ ରଚିଥିବା ନରହନ୍ତା ମାଈ ହାତୀକୁ ପୁଣି ଜଙ୍ଗଲରେ ଛଡ଼ାଯାଇଛି। ଏହି ମାଈ ହାତୀ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ପୁରା ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗତ ଦୁଇଦିନ ପୂର୍ବରୁ ଏହି ମାଇ ହାତୀଟି ତାର ୩ ବର୍ଷୀୟ ଛୁଆକୁ ହଜାଇ ଦେଇଥିଲା। ପରେ ହାତୀ ଛୁଆକୁ କପିଳାଶ ବନାଞ୍ଚଳ ଗୁଣ୍ଡୁରାପଶି ଡ୍ୟାମ ପାଖରୁ ବନବିଭାଗ ଉଦ୍ଧାର କରିଥିଲା। ଛୁଆଟିକୁ ମା ପାଖରେ ଛାଡ଼ିବା ପରେ ଆତଙ୍କ ସୃଷ୍ଟି କରିଥିବା ଏହି ମା ହାତୀଟି ପୁରା ଶାନ୍ତ ହୋଇଯାଇଛି। ଫଳରେ ଉଭୟ ମା ଛୁଆକୁ ଢେଙ୍କାନାଳ ବନ ବିଭାଗ ପକ୍ଷରୁ ଟ୍ରକରେ ନେଇ ପୁଣି ଜଙ୍ଗଲରେ ଛଡ଼ାଯାଇଛି।  ବନବିଭାଗ ପକ୍ଷରୁ ଟ୍ରକରେ ମା’ ଓ ଛୁଆ ହାତୀକୁ ନେଇ ହିନ୍ଦୋଳ ନରସିଂହପୁର ସୀମାନ୍ତ ଟାଲଗଣ୍ଡା ଜଙ୍ଗଲରେ ଛାଡ଼ାଯାଇଛି।

ଟ୍ରକରୁ ଓହ୍ଲାଇ ମା ହାତୀ ନିଜ ଛୁଆକୁ ନେଇ ବେଶ ଖୁସିରେ ଜଙ୍ଗଲ ଭିତରକୁ ଚାଲିଯାଇଥିଲା।  ଏହି ହାତୀକୁ ହିନ୍ଦୋଳ ବନାଞ୍ଚଳରେ ଛାଡ଼ିବା ଖବର ପାଇ ସ୍ଥାନୀୟ ଲୋକେ ପୁଣି ହାତୀ ଉପଦ୍ରବ ଆଶଙ୍କା କରି ଜୋରଦାର ପ୍ରତିବାଦ କରିଥିଲେ। ଏପରିକି ବୁଧବାର ରାତିରେ ବନ ବିଭାଗ ଟ୍ରକରେ ହାତୀ ଆଣିଥିବା ଖବର ପାଇ ଗୁରୁବାର ସ୍ଥାନୀୟ ଲୋକେ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଦଣ୍ଡିରି ଫରେଷ୍ଟ ବିଟ ହାଉସ ଘେରାଉ କରିଥିଲେ।  ଫଳରେ ଏହି ଫରେଷ୍ଟ ବିଟ ହାଉସ ପାଖରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ପରେ ବନ ବିଭାଗ ପକ୍ଷରୁ ଏହି ହାତୀଟି ତା ଛୁଆକୁ ପାଇଲା ପରେ ଶାନ୍ତ ହୋଇଯାଇଛି ବୋଲି ଆନ୍ଦୋଳନକାରୀମାନଙ୍କୁ କୁହାଯାଇଥିଲା। ଏହା ସହ ସ୍ଥାନୀୟ ଲୋକଙ୍କୁ ହାତୀ କବଳରୁ ସୁରକ୍ଷା  ଦିଆଯିବ ବୋଲି ବନ ବିଭାଗ ପ୍ରତିଶୃତି ଦିଆଯିବା ପରେ ସ୍ଥାନୀୟଲୋକେ ଆନ୍ଦୋଳନରୁ ଓହରିଥିଲେ।

Related Articles

Back to top button