
ସୁନ୍ଦରଗଡରେ ଜଙ୍ଗଲ ନିଆଁ ଲିଭାଇବାକୁ ଯାଇଥିବା ବନ ବିଭାଗ ଗାଡି ଜଳିଗଲା
ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଏବେ ଏକର ଏକର ଜଙ୍ଗଲ ଜଳୁଛି। ଏଭଳି ସମୟରେ ସୁନ୍ଦରଗଡରେ ନିଆଁ ଲିଭାଇବାକୁ ଯାଇଥିବା ବନ ବିଭାଗ ଗାଡି ଜଳିଯାଇଛି।
ସୂଚନା ଅନୁସାରେ ଭବାନୀପୁର ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇଁ ଅଧିକାରୀମାନେ ସେଠାରେ ପହଂଚିଥିଲେ। ନିଆଁ ଲିଭାଇବାକୁ ଅଧିକାରୀମାନେ ଭିତରକୁ ଯାଇଥିବା ସମୟରେ ଗାଡ଼ିରେ ଜଙ୍ଗଲ ନିଆଁ ଲାଗିଯାଇଥିଲା। ତେବେ ନିଆଁ ଲାଗି ଜିପଟି ପୋଡ଼ି ପାଉଁଶ ହୋଇଯାଇଛି।
ରାଜ୍ୟରେ ବର୍ତ୍ତମାନ ଅନେକ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଅନେକ ମୂଲ୍ୟବାନ ଗଛ ପୋଡି ନଷ୍ଟ ହେଉଥିବା ବେଳେ ଜୀବଜନ୍ତୁଙ୍କୁ ବି ଗ୍ରାସ କରୁଛି ନିଆଁ । ଅନ୍ୟପଟେ ନିଆଁ ଯୋଗୁ ଜୀବଜନ୍ତୁ ଏବେ ଜନବସତି ମୁହାଁ। ତେବେ ରାଜ୍ୟରେ ଦେଖାଦେଇଥିବା ଜଙ୍ଗଲ ନିଆଁକୁ ନେଇ ଆଜି ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ତାହାର ଉତ୍ତର ଦେବାକୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ବିଜେପି ବିଧାୟିକା କୁସୁମ ଟେଟେ ଗୃହରେ ଦାବି କରିଛନ୍ତି ।
ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖି ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ଉପଗ୍ରହ ଚିତ୍ରରେ ଜଙ୍ଗଲ ନିଆଁ ସମ୍ପର୍କରେ ଯେଉଁ ତଥ୍ୟ ଆସୁଛି, ସେଥିରେ କେବଳ ଜଙ୍ଗଲରେ ନିଆଁ ଲାଗିନି ବରଂ ଅନେକ ସ୍ଥାନରେ ଚାଷୀମାନେ ରବି ଚାଷ କରିବା ପାଇଁ କଟାଯାଇଥିବା ଖରିଫ ଧାନ ବିଲରେ ନିଆଁ ଲଗାଇ ଦେଇଛନ୍ତି । ଯେଉଁଥିପାଇଁ ଉପଗ୍ରହ ଚିତ୍ରରେ ରାଜ୍ୟରେ ବନାଗ୍ନି ସଂଖ୍ୟା ଅଧିକ ରହିଥିବା ଦୃଶ୍ୟମାନ ହେଉଛି । ଯେତିକି ଅଞ୍ଚଳରେ ନିଆଁ ଲାଗିଛି ତା’ର ୯୮ ପ୍ରତିଶତକୁ ଅନୁଧ୍ୟାନ କରାଯାଉଛି ।