ଓଢଣ ଷଷ୍ଠୀ ପାଇଁ ଶ୍ରୀମନ୍ଦିରରେ ହେବ ଶ୍ରୀଜୀଉଙ୍କ ଘୋଡଲାଗି ନୀତି

ପୁରୀ: ଶ୍ରୀମନ୍ଦିରରେ ହେବ ଶ୍ରୀଜୀଉଙ୍କ ଘୋଡଲାଗି ନୀତି । ଓଢଣ ଷଷ୍ଠୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ।  ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ଵାଦଶ ଯାତ୍ରା ମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ଆଜି ମହାପ୍ରଭୁଙ୍କ ଘୋଡଲାଗି ନୀତି । ସକାଳଧୂପ ବଢିବା ପରେ ମଇଲମ କରାଯାଇ ଭୋଗମଣ୍ଡପ ପରେ ଅଧିବାସୀତ ହୋଇଥିବା ଘୋଡଗୁଡିକୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ନେଇ ବଡଦେଉଳକୁ ପ୍ରଦକ୍ଷିତ କରାଯିବାର ନିୟମ ରହିଛି । ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ ଲାଗି ବଢିବା ପରେ ଛଅ ମୂର୍ତ୍ତିରେ ଅଳଙ୍କାର ଲାଗି କରାଯିବ । ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯିବ । ଗୁରୁବାର ଓଢଣ ଷଷ୍ଠୀ ଅବସରରେ ହଳଦିଆ ରଙ୍ଗର ଘୋଡ଼ ଲାଗି କରାଯିବ । ମଖମଲ ଓ ସୂତା କପଡ଼ାର ଦରଜୀ ସେବକଙ୍କ ଦ୍ଵାରା ଶ୍ରୀଜୀଉଙ୍କର ଏହି ଘୋଡ଼ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଛି ।

ସୋମବାର ମହାପ୍ରଭୁଙ୍କ ସର୍ବାଙ୍ଗ ଲାଗି ବଢିବା ପରେ ପଇଡ଼, ବିଢ଼ିଆ, ଘଷାମ ତୋହି ବଢି ଆଳତି କରାଯାଇଥିଲା । ପରମ୍ପରା ଅନୁଯାୟୀ ଶ୍ରୀ ପଞ୍ଚମୀ କିମ୍ୱା ସରସ୍ବତୀ ପୂଜା ପୂର୍ବଦିନ ପର୍ଯ୍ୟନ୍ତ ଠାକୁରମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି। ରବିବାରରେ ଲାଲ ରଙ୍ଗ, ସୋମବାର କଳାଛିଟା ମିଶା ଶୁକ୍ଳରଙ୍ଗ, ମଙ୍ଗଳବାର ପଟିଆ, ବୁଧବାର ନୀଳରଙ୍ଗ, ଗୁରୁବାର ହଳଦିଆ, ଶୁକ୍ରବାର ଦିନ ଠାକୁରମାନେ ଧଳା ରଙ୍ଗର ଘୋଡ଼ ଓ ଶନିବାର କଳା ରଙ୍ଗର ଘୋଡ ପରିଧାନ କରିଥାନ୍ତି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀର ଲୀଳାକ୍ରମରେ ଶ୍ରୀଜୀଉ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି। ଏହି ଲୀଳାକୁ ପ୍ରାବରଣ ଯାତ୍ରା ମଧ୍ୟ କୁହାଯାଏ। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Related Articles

Back to top button