ଛେଳିଙ୍କ କୃତ୍ରିମ ପ୍ରଜନନ ଦ୍ୱାରା ସଂଖ୍ୟା ବୃଦ୍ଧି କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଛେଳି ହେଉଛି ଗ୍ରାମାଞ୍ଚଳ ଲୋକଙ୍କ ଏଟିଏମ । ଜରୁରୀ ଆବଶ୍ୟକତା ସମୟରେ ସେମାନେ ଛେଳି ବିକି ତୁରନ୍ତ ଅର୍ଥ ପାଇଥାନ୍ତି । ଏକଥା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଅର୍ଥନୈତିକ ବିକାଶ ଓ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହ୍ରାସ କରିବାରେ ଛେଳିପାଳନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ।

ଆଜି ରାଜ୍ୟରେ ଆାରମ୍ଭ ହୋଇଛି ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ  । ଏହାର ଉଦ୍ଘାଟନ କରି ଶ୍ରୀ ସ୍ୱାଇଁ କହିଥିଲେ, ବିଂଶତମ ପ୍ରାଣୀଧନ ଗଣନା ଅନୁଯାୟୀ ରାଜ୍ୟରେ ୬୪ ଲକ୍ଷ ଛେଳି ଅଛନ୍ତି  ଏବଂ ଏହା ସାରା ଦେଶର ଛେଳି ସଂଖ୍ୟାର ୪.୩ ପ୍ରତିଶତ । ଖାସି ମାଂସର ଚାହିଦା ଥିବାରୁ ମାଂସ ଉଦ୍ଦେଶ୍ୟରେ ଅଣ୍ଡିରା ଛେଳିଙ୍କ ସଂଖ୍ୟା କମିଯାଉଛି । ଫଳରେ ଗୁଣାତ୍ମକ ପ୍ରଜନନ ମୂଲ୍ୟର ବୋଦା କମ ସଂଖ୍ୟାରେ ଉପଲବ୍ଧ ହେଉଛନ୍ତି । ଗରିବ ଲୋକମାନେ ସାଧାରଣତଃ ଛେଳି ପାଳନ କରୁଥିବାରୁ ସେମାନଙ୍କ ପାଖେ ବୋଦା ରଖିବା ସମ୍ଭବ ନୁହେଁ ।

ଏହି ସମସ୍ୟାକୁ ବିଚାର କରି ଜେନେଟିକ ଉନ୍ନତି ଏବଂ ଉଚ୍ଚ ଉତ୍ପାଦନ ପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟରେ ଉପଲବ୍ଦ Black Bengal ଏବଂ ଗଞ୍ଜାମ ପ୍ରଜାତି ଛେଳିର ଶୁକ୍ର ବ୍ୟବହାର କରି କୃତ୍ରିମ ପ୍ରଜନନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏହାଦ୍ୱାରା ଉନ୍ନତ ମାନର ଛେଳି ଉତ୍ପାଦନ ହୋଇପାରିବ ।

କୃତ୍ରିମ ପ୍ରଜନନ ପରେ ଛେଳିମାନଙ୍କୁ ନୋଳି ପିନ୍ଧାଯାଇ ପ୍ରଜାତି ଚିହ୍ନଟ କରାଯିବ । ପ୍ରତି ପ୍ରଜନନ ପାଇଁ ଟେକ୍ନିସିଆନମାନଙ୍କୁ ୨୦ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ ।

Related Articles

Back to top button