
ଓଡିଶାରେ ସୁନା ଖଣିର ମିଳିଛି ସନ୍ଧାନ
ଓଡିଶାରେ ସୁନା ଖଣିର ସନ୍ଧାନ ମିଳିଛି। ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଜେନା ଉତ୍ତର ରଖି ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଦେବଗଡ ଜିଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଛି । ଜିଏସଆଇ ଦ୍ୱାରା ତମ୍ବାପଥର ଅନ୍ୱେଷଣ ବେଳେ ସୁନା ସନ୍ଧାନ ମିଳିଛି । ଏହି ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଭୂତାତ୍ତ୍ୱିକ ଆକଳନରୁ ଜଣାପଡିଛି । ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଇଛି।କେନ୍ଦୁଝରର ଗୋପୁର-ଗାଜିପୁର ଅଞ୍ଚଳରେ ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚିହ୍ନଟ। ମୟୁରଭଞ୍ଜର ଯଶିପୁର, ସୂରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣିର ଅନ୍ବେଷଣ ଚାଲିଛି। ବାକି ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧର କେତେକ ସ୍ଥାନରେ ସୁନା ଖଣି ଥିବାର ସୂଚନା ମିଳିଛି। ତାହାର ସବୁ ଯାଞ୍ଚ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।