ବଣ୍ଡାଘାଟିରେ ଆରମ୍ଭ ହେଲାଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ
ପ୍ରଥମ କରି ବର୍ତ୍ତମାନର ନୂଆ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଣ୍ଡାଘାଟି ଗସ୍ତ କରି ବଣ୍ଡା ଜନଜାତିଙ୍କର ସମସ୍ୟା ଅତି ନିକଟରୁ ଦେଖିଥିଲେ।ଆଜି ବି ଏହି ଜନଜାତି କୁଡିଆ ଏବଂ ଛପର ଘରେ ରହୁଥିବା ଦେଖିବାକୁ ପାଇଥିଲେ। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହିଁକି ଏଠାରେ ଅପହଞ୍ଚ ବୋଲି ପଚାରିବା ପରେ ସ୍ଥାନୀୟ ବଣ୍ଡା ଘର ତିଆରି କରିବା ଜିନିଷ ଘାଟି ଚଢିପାରୁନଥିବା କହିଥିଲେ। ତଳରୁ ଘାଟି ଉପରକୁ ସିମେଣ୍ଟ,ବାଲି ନେବା ଅତି କଷ୍ଟକର ହେବା ସହ ବହୁ ଟଂକା ଖର୍ଚ୍ଚ ହେଉଥିବା କହିଥିଲେ। ତୁରନ୍ତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପ୍ରତ୍ୟେକ ଘରକୁ ଅଧିକା ୫୦ ହଜାର ଟଂକା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଯାହାଫଳରେ ବଣ୍ଡା ଜନଜାତିଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। ଏବେ ବଣ୍ଡାଘାଟିକୁ ବାଲି,ସିମେଣ୍ଟ ପହଞ୍ଚିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ଆରମ୍ଭ ହେଲାଣି।
କେବେଳ ଏତିକି ନୁହେଁ ଏହି ଜନଜାତିଙ୍କ ଆର୍ଥିକ ସ୍ଥିତି କେମିତି ସୁଦୃଢ ହେବ ସେନେଇ ମଧ୍ୟ ସରକାର ଖୁବଶୀଘ୍ର ଯୋଜନା ପ୍ରସ୍ତୁତ କରିବେ ବୋଲି କୁହାଯାଇଛି। ବଣ୍ଡାଘାଟିକୁ ସମସ୍ତ ମୌଳିକ ସୁବିଧା ପହଞ୍ଚିବ ବୋଲି ମଧ୍ୟ କୁହାଯାଇଛି।ତେବେ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ତ ବୋଲି ମଧ୍ୟ ବଣ୍ଡାଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।