
ସାଧାରଣ ଲୋକଙ୍କୁ ସଠିକ୍ ସମୟରେ ନ୍ୟାୟ ପ୍ରଦାନ କରିବା ସକାଶେ ସରକାର ପ୍ରତିବଦ୍ଧ – କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜ୍ଜୁ
ଭୁବନେଶ୍ୱର: ଭାରତୀୟ ନ୍ୟାୟ ବ୍ୟବସ୍ଥା, ସମୟର ଗତି ସହ ତାଳଦେଇ ପରିବର୍ତ୍ତନ ହୋଇ ଚାଲିଛି ଏବଂ ସାଧାରଣ ଲୋକ ଚାହୁଁଥିବା ନ୍ୟାୟ ତାକୁ ସଠିକ୍ ସମୟରେ ପ୍ରଦାନ କରିବା ସୁନିଶ୍ଚିତ କରିବା ସକାଶେ ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜ୍ଜୁ କହିଛନ୍ତି। ଆଜି ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କେନ୍ଦ୍ରୀୟ ସରକାର ଉପଦେଷ୍ଟାମାନଙ୍କର ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜ୍ଜୁ ଏହା କହିଛନ୍ତି।
ସେ ଆହୁରି କହିଛନ୍ତି, ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ପଶ୍ଚିମବଙ୍ଗ, ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ଼, ଆସାମ, ସିକିମ, ତ୍ରିପୁରା, ନାଗାଲାଣ୍ଡ, ମିଜୋରାମ, ମଣିପୁର, ମେଘାଳୟ ଓ ଅରୁଣାଚଳ ପ୍ରଦେଶର କେନ୍ଦ୍ର ସରକାରୀ ଉପଦେଷ୍ଟାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ସେହିଭଳି ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହାର ଶେଷ ନିଷ୍ପତ୍ତି ରାଜ୍ୟ ସରକାର ଓ ହାଇକୋର୍ଟଙ୍କୁ ନେବାର ଅଛି। ଆମେ ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛୁ। ଆମକୁ କେବଳ ଅନୁମୋଦନ କରିବାର ଅଛି। ଏହାର ଭିତ୍ତିଭୂମିର ଦାୟିତ୍ଵ ରାଜ୍ୟ ସରକାରଙ୍କର। ଏହା ନେଇ ଆମେ ଆଗରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସାରିଛୁ ଏବଂ ସଂସଦରେ ଏହାକୁ ନେଇ ଓଡ଼ିଶା ସାଂସଦମାନଙ୍କ ସହ ଆଲୋଚନା କରିସାରିଛି।
ଭାରତ ସରକାରଙ୍କର ଆଇନ୍ ଅଧିକାରୀଗଣ ଏବଂ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କେନ୍ଦ୍ର ସରକାରୀ ଉପଦେଷ୍ଟାମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇଛନ୍ତି। ଉଦ୍ଘାଟନୀ ସମାରୋହରେ ସୁପ୍ରିମ୍କୋର୍ଟର ବିଚାରପତି ବି.ଭି.ନାଗାରତ୍ନ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧର, ଝାଡଖଣ୍ଡର ମୁଖ୍ୟ ବିଚାରପତି ସଞ୍ଜୟ କୁମାର ମିଶ୍ର ଏବଂ ଭାରତ ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଦି ଉପସ୍ଥିତ ଥିଲେ।