
କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଟିକେଟ୍ ନମିଳିବାରୁ ଉତ୍ତେଜନା
କୋଣାର୍କ: ଦୁର୍ଗାପୂଜା ଛୁଟିରେ ହଜାର ହଜାର ପର୍ଯ୍ୟଟକ କୋଣାର୍କ ବୁଲିବାକୁ ଆସୁଛନ୍ତି। ପ୍ରତିଦିନ ପରି ଟିକେଟ କାଉଣ୍ଟରରେ ମାତ୍ର ୨ହଜାର ଟିକେଟ ଥିବାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଟିକେଟ ମିଳୁନାହିଁ। ଯାହା ଫଳରେ ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ଦେଖିବାରୁ ବଞ୍ଚିତ ହେଉଛନ୍ତି। ପର୍ଯ୍ୟଟକମାନେ ପ୍ରବଳ ଖରାରେ ଟିକେଟ ପାଇଁ ଲମ୍ବା ଧାଡ଼ିକରି ଛୋଟ ପିଲାମାନଙ୍କୁ ଧରି ଅପେକ୍ଷା କରୁଛନ୍ତି। ଏହାକୁ ନେଇ ଦେଶବିଦେଶରୁ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ତେଜନା ଓ ମାଡପିଟ ଦେଖା ଦେଇଛି।
ସୂଚନା ଥାଉକି, ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖିବାପାଇଁ ଗୋଟିଏ ଟିକେଟ୍ ୪୦ ଟଙ୍କାରେ ବିକ୍ରି କରାଯାଏ। କିନ୍ତୁ ମାତ୍ର ୨ହଜାର ଟିକେଟ ବିକ୍ରି ହେବା ପରେ କାଉଣ୍ଟରରେ ଟିକଟେ ମିଳେନାହିଁ। ପୁଣିଥରେ ଟିକେଟ ଆସିବା ପରେ ବିକ୍ରି କରାଯାଏ। ଫଳରେ ଦେଶ ବିଦେଶରରୁ ଆସୁଥିବା ପର୍ଯ୍ଯଟକମାନଙ୍କୁ ଟିକେଟ ପାଇଁ ୨ରୁ ୩ଘଣ୍ଟା ଅପେକ୍ଷା କରିବାକୁ ପଡ଼େ। ଏଏସଆଇର ଏପରି ମନମୁଖି କାର୍ଯ୍ୟ ପାଇଁ ହଜାର ହଜାର ପର୍ଯ୍ୟଟକ ମନ୍ଦିର ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେଉଥିବା ଦେଖିବାକୁ ମିଳିଛି। ଟିକେଟ କାଉଣ୍ଟରରେ ତୁରନ୍ତ ଅଧିକ ଟିକେଟ୍ ରଖିବା ପାଇଁ କୋଣାର୍କକୁ ଆସୁଥିବା ପର୍ଯ୍ୟଟକମାନେ ଦାବି କରିଛନ୍ତି। ଏନେଇ ଏସଆଇ ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏପରି ସମସ୍ୟା ପାଇଁ ତୁରନ୍ତ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଉ ବୋଲି ସାଧାରଣରେ ଦାବି ହୋଇଛି l