
ଟ୍ରେନରୁ ଉଦ୍ଧାର ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଜିଆରପି ଜାରି କଲା ପୋଷ୍ଟର
ଭୁବନେଶ୍ୱର:ଧାନବାଦ-ଭୁବନେଶ୍ୱର ଟ୍ରେନର ଟଏଲେଟରୁ ଉଦ୍ଧାର ମୃତ ମହିଳାଙ୍କ ପରିଚୟ ଏ ଯାଏ ପାଉନି ପୋଲିସ। ପରିଚୟ ଜାଣିବା ପାଇଁ ତନଘନା ଆରମ୍ଭ କରି ଦେଇଛି । ବିଭିନ୍ନ ଜାଗାରେ ପୋଷ୍ଟର ମାରି ମହିଳାଙ୍କ ସମ୍ପର୍କରେ ସୂଚନା ଦେବାକୁ ନିବେଦନ କରାଯାଇଛି ।
ଗତ ୨୦ ତାରିଖରୁ ଟ୍ରେନ ନମ୍ବର ୦୨୮୩୧ ଧାନବାଦ-ଭୁବନେଶ୍ୱର ଟ୍ରେନର କୋଚ ନମ୍ବର ୫ର ଟଏଲେଟ ନମ୍ବର ୨ରୁ ଅଜଣା ମହିଳାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ଇତି ମଧ୍ୟରେ ୪ ଦିନ ବିତି ଯାଇଥିଲେ ହେଁ ମୃତା ମହିଳାଙ୍କର ପରିଚୟ ମିଳି ପାରିନାହିଁ । ମହିଳାଙ୍କର ପରିଚୟ ପାଇବା ପାଇଁ ଜିଆରପି ମହିଳାଙ୍କ ଫଟୋ ଜାରି କରିଛି।
ଜାରି ନୋଟିସରେ ମହିଳାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି, ମହିଳାଙ୍କ ବୟସ ୩୦ ବର୍ଷ ହେବ । ତାଙ୍କ ଉଚ୍ଚତା ୫ ଫୁଟ, ଶରୀର ଗଠନ ପତଳା, ରଙ୍ଗ ଶ୍ୟାମଳ । ସେ ଶାଲୱାର, କୁର୍ତ୍ତି ପିନ୍ଧିଥିଲେ । ହାତରେ ଲାଲ ରଙ୍ଗର ଇମିଟେସନ ଚୂଡି, ବେକରେ ଇମିଟେଶନ ମଙ୍ଗଳ ସୂତ୍ର ଥିଲା । ଗୋଡରେ ମୁଦି ମଧ୍ୟ ପିନ୍ଧିଥିଲେ । ସେ ବିବାହିତ ବୋଲି ଜଣାପଡୁଛି ।
ଯଦି କେହି ମହିଳାଙ୍କ ସମ୍ପର୍କରେ ପରିଚୟ ପ୍ରଦାନ କରିବେ ତେବେ ତାଙ୍କର ନାମ ଏବଂ ଠିକଣା ଗୁପ୍ତ ରଖାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ଏଥିସହ ଅର୍ଥ ପୁରସ୍କାର ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଇଥିଲା ।ଯୋଗାଯୋଗ ପାଇଁ ତଦନ୍ତକାରୀ ଅଫିସରଙ୍କ ମୋବାଇଲ ନମ୍ବର ସହ ଅନ୍ୟ ମୋବାଇଲ ନମ୍ବର ମଧ୍ୟ ଜାରି କରାଯାଇଛି । ଏହି ନମ୍ବର ଗୁଡିକ ହେଲା- ତଦନ୍ତକାରୀ ଅଫିସରଙ୍କ ନମ୍ବର: ୯୪୩୮୧୨୨୫୨୮, ୯୪୩୮୯୧୬୮୯୨, ୭୦୦୮୨୯୭୯୪୬ । ଅନ୍ୟ ଯୋଗାଯୋଗ ନମ୍ବର-୯୪୩୮୧୨୨୫୨୮, ୭୦୦୮୨୯୭୯୪୭ ଏବଂ ୯୪୩୮୯୧୬୮୯୨ ।