ଏଏସ୍‌ଆଇଙ୍କ ଗୁଳିରେ ପ୍ରାଣ ହରାଇଥିବା ସୟଦ ମମତାଜ ଅଲିଙ୍କ ମାଆଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦେବେ ରାଜ୍ୟ ସରକାର

କଟକ: ଜଗତସିଂହପୁର ଜିଲା ଚକ୍ରଧରପୁର ଫାଣ୍ଡିରେ ୨୦୦୫ରେ ଘଟିଥିବା ଗୁଳିକାଣ୍ଡରେ ମୃତ ଯୁବକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି। ବିଚାରପତି ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରଦାନ କରି ୭ ଦିନ ମଧ୍ୟରେ ଉକ୍ତ ରାଶି ମୃତକ ସୟଦ ମମତାଜ ଅଲିଙ୍କ ମାଆଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସରକାର ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଥିବାରୁ ଅବଶିଷ୍ଟ ୪୯ ଲକ୍ଷ ଟଙ୍କା ଡ୍ରାଫ୍ଟ ଆକାରରେ ମୃତକଙ୍କ ମାଆ ନିଗର ବେଗମଙ୍କୁ ପ୍ରଦାନ କରିବା ପାଇଁ ସ୍ପଷ୍ଟ କରିଛନ୍ତି।
ଆବେଦନକାରିଣୀ ନିଗର ବେଗମଙ୍କ ବଡ଼ପୁଅ ସୟଦ ମମତାଜ ଅଲି ଜଣେ ସୁପରଭାଇଜର ଭାବେ ଚଣ୍ଡିଖୋଲ-ପାରାଦୀପ ପୋର୍ଟ ଟ୍ରଷ୍ଟ ରୋଡ୍‌ ପ୍ରୋଜେକ୍ଟରେ କାମ କରୁଥିଲେ। ସେ ଜଣେ ଡିପ୍ଲୋମା ମେକାନିକାଲ ଇଞ୍ଜିନିୟର ଡିଗ୍ରୀଧାରୀ ହୋଇଥିବାବେଳେ ମାତ୍ର ୫୦୯୫ ଟଙ୍କା ମାସିକ ଦରମାରେ ୨୦୦୪ରୁ କାମ କରିଆସୁଥିଲେ। ହିନ୍ଦୁସ୍ତାନ କନ୍‌ଷ୍ଟ୍ରକଶନ୍‌ କମ୍ପାନୀରେ କାମ କରୁଥିବା ଜୟନ୍ତ ଦାସଙ୍କୁ କୌଣସି କାରଣରୁ ୨୦୦୫ ନଭେମ୍ବର ୨୮ ତାରିଖ ରାତିରେ ତତ୍କାଳୀନ ପୋଲିସ ଏଏସ୍‌ଆଇ ମୁରଲୀଧର ସାହୁ ଉଠାଇ ଆଣିଥିଲେ। ସେ ଚକ୍ରଧରପୁର ଫାଣ୍ଡିର ଇନ୍‌ଚାର୍ଜ ଥିଲେ। ଏ ବାବଦରେ ଜାଣିବା ପରେ ମୃତକଙ୍କ ସମେତ ଅନ୍ୟମାନେ ଫାଣ୍ଡିରେ ପହଞ୍ଚି ଜୟନ୍ତଙ୍କୁ ଉଠାଇ ଆଣିବାର କାରଣ ଜାଣିବାକୁ ଚାହିଁଥିଲେ। ସାମାନ୍ୟ ବଚସାରୁ ଉତ୍ତ୍ୟକ୍ତ ହୋଇ ଏଏସ୍‌ଆଇ ମୁରଲୀଧର ନିଜ ରିଭଲଭର ଉଠାଇ ଗୁଳି କରିଥିଲେ। ସୟଦ ମମତାଜଙ୍କ ଛାତିରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ପୋଲିସ ଏଏସ୍‌ଆଇଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ କରାଯାଇଥିଲା।

Related Articles

Back to top button