୧୦୦ ଟଙ୍କା ନ ଦେବାରୁ ୧୦ମ ଶ୍ରେଣୀ ସାର୍ଟିଫିକେଟ ଦେଲେନି ପ୍ରଧାନ ଶିକ୍ଷୟିତ୍ରୀ

ବାଲିଗୁଡ଼ା: ୧୦୦ ଟଙ୍କା ନ ଦେଲେ ଛାତ୍ରଛାତ୍ରୀଙ୍କୁ ମିଳୁନି ୧୦ମ ଶ୍ରେଣୀ ପାସ୍ ସାର୍ଟିଫିକେଟ। ଫଳରେ ଛାତ୍ରଛାତ୍ରୀମାନେ ଯୁକ୍ତ ୨ରେ ନାମ ଲେଖାଇବାରେ ଅସୁବିଧା ଭୋଗୁଛନ୍ତି। ଖୋଦ୍ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମାଗୁଛନ୍ତି ଏହି ଟଙ୍କା। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ମା’ ଭୈରବୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଏଭଳି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଆଜି ସ୍ଥାନୀୟ ସରପଞ୍ଚ, ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲା ପରିଷଦ ସଭ୍ୟ ଏବଂ ଅଭିବାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ପରେ ଶିକ୍ଷା ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ସାର୍ଟିଫିକେଟ ବଣ୍ଟନ କରିଛନ୍ତି ଅନ୍ୟ ଶିକ୍ଷକମାନେ। ମୁଣ୍ଡିଗଡ଼ର ୫୯ ଜାତୀୟ ରାଜପଥରେ ବସି ଶିକ୍ଷକମାନେ ସାର୍ଟିଫିକେଟ ବାଣ୍ଟିବା ଦୃଶ୍ୟ ସାଧାରଣରେ ଉଦ୍‌ବେଗର କାରଣ ହୋଇଛି।

ଛାତ୍ର ଇପ୍ରିୟମ ନାୟକ ଓ ଅନ୍ୟ ଛାତ୍ରମାନେ ଗଣମାଧ୍ୟମ ଆଗରେ କହିଛନ୍ତି, ସେମାନେ ଦଶମ ପାସ୍ କରିବା ପରେ ଯୁକ୍ତ ୨ରେ ନାମ ଲେଖାଇବା ନିମନ୍ତେ ସାର୍ଟିଫିକେଟ ପାଇଁ ସ୍କୁଲରେ ପହଞ୍ଚି ଥିଲେ। ହେଲେ ସାର୍ଟିଫିକେଟ ନେବାକୁ ହେଲେ ସମସ୍ତଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଥିଲେ। ସେମାନେ ନିରାଶରେ ଫେରି ଆସି ଏ ସମ୍ପର୍କରେ ଘରେ ଜଣାଇଥିଲେ। ପରେ ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ସୂଚିତ କରାଯାଇଥିଲା। ଆଜି ସ୍କୁଲ ଫାଟରେ ତାଲା ପକାଇ ଆନ୍ଦୋଳନ କରାଯିବା ପରେ ସମସ୍ତଙ୍କୁ ସାର୍‌ମାନେ ପହଞ୍ଚି ସାର୍ଟିଫିକେଟ ଦେଇଛନ୍ତି।

Related Articles

Back to top button