ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ହେଲପ ଡେସ୍କରେ ନିୟୋଜିତ ହେବେ ସ୍ୱାସ୍ଥ୍ୟ ସଂଯୋଜକ

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲମାନଙ୍କରେ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ମେଡିକାଲମାନଙ୍କରେ ରୋଗୀଙ୍କ ସୂଚନା କିପରି ଠିକ୍ ଭାବେ ପାଇହେବ ସେନେଇ ହେଲପ ଡେସ୍କରେ ନିୟୋଜିତ ହେବେ ସ୍ୱାସ୍ଥ୍ୟ ସଂଯୋଜକ । ଏନେଇ ରାଜ୍ୟର ସମସ୍ତ ମେଡିକାଲ କଲେଜର ଅଧିକ୍ଷକ, ଭୀମସାର ବୁର୍ଲା ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଅଧିକ୍ଷକଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି ।

ସୂଚନା ମୁତାବକ, ଜଣେ ବରିଷ୍ଠ ନର୍ସିଂ ଅଧିକାରୀଙ୍କୁ ଏହାର ଦାୟିତ୍ୱ ପ୍ରଦାନ କରାଯିବ । ଯେଉଁ ମେଡିକାଲ କଲେଜରେ ହେଲପ ଡେସ୍କ ଆରମ୍ଭ ହୋଇନାହିଁ, ସେଠାରେ ତାହା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲପ ଡେସ୍କକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କାର୍ଯ୍ୟରତ ମାନବ ସମ୍ବଳ ମଧ୍ୟରୁ ଏହି ସ୍ୱାସ୍ଥ୍ୟ ସଂଯୋଜକଙ୍କୁ ଚୟନ କରାଯିବ ବୋଲି ଜଣାପଡ଼ିଛି ।

କୋଭିଡ୍ ସମୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସଂକ୍ରମଣ ସମୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲମାନଙ୍କରେ ହେଲପ ଡେସ୍କର ବିଶେଷ ଆବଶ୍ୟକତା ପଡ଼ିଥିଲା । ସାଧାରଣ ଭାବେ ଆଇସିୟୁ ଭିତରକୁ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ପ୍ରବେଶ ନେଇ କଟକଣା ରହିଥିବା ବେଳେ ରୋଗୀଙ୍କ ପରିବାରଙ୍କୁ ରୋଗୀ ସଂପର୍କରେ ସୂଚନା ଦେବାରେ ଏହା ସହାୟକ ହୋଇଥିଲା । ତେଣୁ ରାଜ୍ୟ ସରକାର ଜଣେ ଲେଖାଏଁ ସ୍ୱାସ୍ଥ୍ୟ ସଂଯୋଜକକୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Related Articles

Back to top button