ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଆଗାମୀ ୨୫ ତାରିଖ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ଚିଲିକା ଉପରେ ଥିବା ଅବପାତ ଦୁର୍ବଳ ହୋଇ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଦୁର୍ବଳ ହୋଇ ଲୋ ପ୍ରେସରରେ ପରିଣତ ହେବ । ଏହା ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଲଘୁଚାପ ପ୍ରଭାବରେ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ । କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, କଳାହାଣ୍ଡି, ରାୟଗଡା ଓ ଗଜପତିରେ ମଧ୍ୟ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା କାଲି କୋରାପୁଟ, କଳାହାଣ୍ଡି, ଗଜପତି, ରାୟଗଡ଼ା, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ମାଲକାନଗିରି, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର । ବିଶେଷକରି ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏପଟେ ଲଗାଣ ବର୍ଷାରେ ମାଲକାନଗିରି ହାଲ୍ ବେହାଲ୍ ହୋଇଛି। ମାଲକାନଗିରି ଜିଲ୍ଲାର ୫ଟି ସ୍ଥାନରେ ପୋଲ ବୁଡ଼ି ରହିଥିବା ବେଳେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Related Articles

Back to top button