ଦ୍ବୈତ ନଗରୀରେ କଲବଲ କରୁଛି ଅସହ୍ୟ ତାତି

ଭୁବନେଶ୍ଵର:  ଧୀରେ ଧୀରେ ରେକର୍ଡ ଭାଙ୍ଗୁଛି ଗ୍ରୀଷ୍ମ ପ୍ରବାହ । ସାରା ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ବିଟ୍‌ କରି ସତର୍କ କରାଇଛି । ଅନ୍ୟପଟେ ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୧.୬ ଡ଼ିଗ୍ରୀ ଏବଂ ଆଦ୍ରତା ୪୩ % ରେକର୍ଡ ହୋଇଛି ।

ଆଜି ସକାଳ ସାଢେ ୧୧ଟା ରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ଭାଙ୍ଗି ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର। ସେହିପରି ଝାରସୁଗୁଡ଼ାରେ ୪୧.୮, ହୀରାକୁଦରେ ୪୧.୨, କେନ୍ଦୁଝରରେ ୩୮.୪ , ବାଲେଶ୍ୱର ୩୭, ଚାନ୍ଦବାଲିରେ ୩୭, ପୁରୀରେ ୩୬.୨, ପାରାଦୀପରେ ୩୪.୪ ଓ ଗୋପାଳପୁରରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି | ଆଗାମୀ ୨ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଉପକୂଳ ଅଞ୍ଚଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ଆଜି ପାଇଁ ୧୨ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେଥିପାଇଁ ଦିନ ୧୧ ଟାରୁ ୩ ଟା ଯାଏ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେହିପରି ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବାରୁ ଚଳିତ ବର୍ଷ ରଜପର୍ବରେ ଜାରି ରହିବ ଗ୍ରୀଷ୍ମପ୍ରବାହ ଏବଂ ଗୁଳୁଗୁଳି ।

Related Articles

Back to top button