୨୦୨୪ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ହେବ; ସ୍ଥାପନା ହେବେ ପ୍ରଭୁ ରାମଚନ୍ଦ୍ର

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନା ହେବେ ପ୍ରଭୁ ରାମଚନ୍ଦ୍ର । ପ୍ରାୟ ୧୮ଶହ କୋଟି ଟଙ୍କା ମୂଲ୍ୟରେ ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିରର ପ୍ରତିଷ୍ଠା ୨୦୨୪ ଜାନୁଆରୀ ମାସରେ ହେବ ବୋଲି ଜଣାପଡ଼ିଛି । ଏହାକୁ ନେଇ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଟ୍ରଷ୍ଟର ସଦସ୍ୟମାନଙ୍କ ସର୍ବସମ୍ମତି କ୍ରମେ କିଛି ନିଷ୍ପତ୍ତି ନିଆଯାଇଛି । ପ୍ରଭୁ ରାମଙ୍କ ଜନ୍ମଭୂମି ପରିସରରେ ହିନ୍ଦୁ ଧର୍ମ ସହ ଜଡିତ ସାଧୁମାନଙ୍କ ପ୍ରତିମୂର୍ତ୍ତି ରଖାଯିବ ।

ବସିଥିବା ଏହି ବୈଠକରେ ଟ୍ରଷ୍ଟର ୧୪ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ । ବୈଠକରେ ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଏହି ମହାନ ମନ୍ଦିର ନିର୍ମାଣରେ ଖର୍ଚ୍ଚ ବିଷୟରେ ଜାଣିବା ପାଇଁ ବିଶେଷଜ୍ଞମାନେ ଏକ ରିପୋର୍ଟ ଉପସ୍ଥାପନା ମଧ୍ୟ କରିଛନ୍ତି । ଏହି ରିପୋର୍ଟ ଆଧାରରେ ମନ୍ଦିର ନିର୍ମାଣ ପାଇଁ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ, ଏହି ବିଷୟ ଦୀର୍ଘ ଦିନ ଧରି ବିଚାର କରାଯାଉଥିଲା ଏବଂ ଟ୍ରଷ୍ଟର ସଦସ୍ୟମାନେ ଆଜି ବୈଠକରେ ମନ୍ଦିର ନିର୍ମାଣ ସହ ଜଡିତ ସମସ୍ତ ଲୋକଙ୍କ ମତାମତ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଟ୍ରଷ୍ଟ ସହ ଜଡିତ ନିୟମାବଳୀ ମଧ୍ୟ ଚୂଡାନ୍ତ ହୋଇଛି।

ସବୁଠାରୁ ବଡ଼ କଥା ହେଉଛି ରାମ ମନ୍ଦିରର ନିର୍ମାଣ ପାଇଁ ଅର୍ଥର ଅଭାବ ନାହିଁ । ଡିସେମ୍ବର ୨୦୨୩ ସୁଦ୍ଧା ମନ୍ଦିର ପ୍ରସ୍ତୁତ ହେବ । ୨୦୨୪ ମକର ସଂକ୍ରାନ୍ତିରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନା କରାଯିବାର ଯୋଜନା ରହିଛି । ମନ୍ଦିର ନିର୍ମାଣର ୩୦ପ୍ରତିଶତରୁ ଅଧିକ କାର୍ଯ୍ୟ ସମାପ୍ତ ହୋଇଛି । ଟ୍ରଷ୍ଟ ଦ୍ୱାରା କୁହାଯାଇଛି ଯେ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଥିବା ବଜେଟ୍ ସେହି ମୂଲ୍ୟରେ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି ।

Related Articles

Back to top button