
ବାତ୍ୟା ‘ଆସନା ପ୍ରଭାବରେ ଆସନ୍ତା ୫ ତାରିଖ ଯାଏ ଭୀଷଣରୁ ଅତି ଭୀଷଣ ବର୍ଷା ସମ୍ଭାବନା
ଆରବ ସାଗର ପଟୁ ଗୁଜରାଟ ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଆସନା’। ଏହାର ପ୍ରଭାବରେ ଆସନ୍ତା ୫ ତାରିଖ ଯାଏ ଭୀଷଣରୁ ଅତି ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସାମୁଦ୍ରିକ ଝଡ଼ ସୌରାଷ୍ଟ୍ର ଏବଂ କଚ୍ଚ ଉପକୂଳ ଦେଇ ଅତିକ୍ରମ କରିପାରେ ବୋଲି ଆଶଙ୍କା କରାଯାଉଛି । ସାମୁଦ୍ରିକ ଝଡ ଆସନା ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ସ୍ଥଳଭାଗ ଆଡକୁ ମୁହାଁଇ ଗତି କରିବ । ଅଧିକ ପ୍ରଭାବିତ ହେବାକୁ ଥିବା ଦକ୍ଷିଣ ଗୁଜରାଟ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଆଲର୍ଟ ଜାରି କରାଯାଇଛି । ସେହିପରି ଭଡ଼ଦୋରା, ଭରୁଚ, ଆନନ୍ଦ, ନର୍ମଦା, ପଞ୍ଚମହଲ, ଦାହୋଦ, ଛୋଟା ଉଦୟପୁର ଆଦି ଅଞ୍ଚଳରେ ଆଗାମୀ କିଛି ଦିନ ଯାଏ ବର୍ଷା ଜାରି ରହିବ । ତେବେ ପୂର୍ବରୁ କିଛି ଦିନ ଧରି ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଗୁଜରାଟରେ ଏଯାଏଁ ୩୬ଜଣଙ୍କ ଜୀବନ ଯାଇଛି। ପ୍ରଶାସନ ତରଫରୁ ୧୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ୧୨ଶହରୁ ଅଧିକ ବିପନ୍ନଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କରାଯାଇଛି ।
ଏପଟେ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଆସନ୍ତା ଦୁଇ ରୁ ତିନି ଦିନ ଯାଏ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ସହ ଅନ୍ୟ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ସେହିପରି ଆସନ୍ତା ୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ।