ରାଜ୍ୟର ସମସ୍ତ ହସପିଟାଲ ଗୁଡିକର ଅଗ୍ନି ନିରାପତ୍ତା ସ୍ଥିତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ
ହସପିଟାଲକୁ ପ୍ରଦାନ କରାଯାଉଥିବା ଅଗ୍ନି ନିରାପତ୍ତା ପ୍ରମାଣପତ୍ରର ନିର୍ଦ୍ଦିଷ୍ଟ ଅବଧି ତାରିଖ ଉଲ୍ଲେଖ କରାଯାଇନଥିବା ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ବିଶେଷକରି ଅଗ୍ନିଶମ ବିଭାଗ ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ରକୁ ହାଲୁକା ଭାବେ ଗ୍ରହଣ କରାଯାଉଥିବା ନେଇ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଏକ ଘରୋଇ ହସପିଟାଲକୁ ବନ୍ଦ କରାଯିବା ପ୍ରସଂଗରେ ଦାୟର ଆବେଦନକୁ ଅଦାଲତ ଗୁରୁତ୍ୱର ସହ ଗ୍ରହଣ କରି ରାଜ୍ୟର ସମସ୍ତ ହସପିଟାଲ ଗୁଡିକର ଅଗ୍ନି ନିରାପତ୍ତା ସ୍ଥିତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ।ହେଲଥକେୟାର ହସପିଟାଲ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଡ.ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସମସ୍ତ ହସପିଟାଲର ଅଗ୍ନି ନିରାପତ୍ତା ଯାଞ୍ଚ ରିପୋର୍ଟକୁ ସତ୍ୟପାଠ ଜରିଆରେ ଆସନ୍ତା ୪ମାସ ମଧ୍ୟରେ ଦାଖଲ କରିବାକୁ ରାଜ୍ୟ ଅଗ୍ନିଶମ ବିଭାଗର ଡିଜିଙ୍କୁ ହାଇକୋର୍ଟ ଆଜି କଡା ନିର୍ଦ୍ଦେଶ ଦେଇଛନ୍ତି । ମାମଲାରୁ ପ୍ରକାଶ ଯେ,ଆବେଦନକାରୀ ହସପିଟାଲର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଗତ ୨୦୨୦ ଅଗଷ୍ଟ ୧୬ରେ ଜାରି କରାଯାଇଥିଲେ ସୁଦ୍ଧା ଏହାର ବୈଧତା ସମୟ ଉଲ୍ଲେଖ ନଥିବା ବେଳେ କେନ୍ଦ୍ରାପଡା ସିଡିଏମଓଙ୍କ ପକ୍ଷରୁ ଗତ ୨୦୨୪ଅକ୍ଟୋବର୧୯ରେ ଏହାକୁ ବନ୍ଦ କରିବାକୁ ନୋଟିସ ଦିଆଯାଇଥିଲା।
ଏହାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ପ୍ରମାଣପତ୍ରର କେତେ ଦିନ ପର୍ଯ୍ୟନ୍ତ ବୈଧ ତାହା ଉକ୍ତ ପ୍ରମାଣପତ୍ରରେ ଉଲ୍ଲେଖ ନଥିବାରୁ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ସମ୍ପୃକ୍ତ ମେଡିକାଲକୁ ପ୍ରଦାନ କରାଯାଇଥିବା ପ୍ରମାଣପତ୍ରର ଅବଧି ତାରିଖ କାହିଁକି ଉଲ୍ଲେଖ କରାଯାଇନାହିଁ ସେ ସମ୍ପର୍କରେ ଅଗ୍ନିଶମ ବିଭାଗ ସ୍ପଷ୍ଟୀକରଣ ଦେବ ବୋଲି ହାଇକୋର୍ଟ କହିଛନ୍ତି। ତେବେ କେନ୍ଦ୍ରାପଡା ଜିଲ୍ଲା ଅଗ୍ନିଶମ ବିଭାଗ ଇତିମଧ୍ୟରେ ଆବେଦନକାରୀ ହସପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ପରେ ଯଦି ତାହା ଯୋଗ୍ୟ ହୁଏ ତାହେଲେ ଉକ୍ତ ହସପିଟାଲକୁ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଅଦାଲତ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରି୧୯କୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଉମାକାନ୍ତ ମିଶ୍ର ମାମଲା ପରିଚାଳନା କରୁଛନ୍ତି ।