ବଡ଼ ଭେଟି ଦେଲେ ନିତୀନ ଗଡକରୀ : ଓଡ଼ିଶାରେ ଆମେରିକା ଭଳି ହେବ ହାଇୱେ

ଓଡ଼ିଶାରେ ଆମେରିକା ଭଳି ହେବ ହାଇୱେ । ଆଜି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବା ସହ ଏହି ବଡ଼ ଘୋଷଣା କରିଛନ୍ତି। ଏଥିପାଇଁ ଗୁରୁବାର ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ତେବେ ସଭାମଞ୍ଚରେ ଉଦବୋଧନ ଦେବା ବେଳେ ନୀତିନ ଗଡ଼କରୀ କହିଛନ୍ତି, ‘ଜଗନ୍ନାଥଙ୍କ ଭୂମିକୁ ଆସିବାର ସୌଭାଗ୍ୟ ମିଳିଲା । ଏହା ମୋ ପାଇଁ ବଡ଼ ସୌଭାଗ୍ୟର କଥା । ୬୦ ବର୍ଷରେ ଯାହା ହୋଇନି, ୧୧ ବର୍ଷରେ ତାହା ହୋଇଛି । ବିକାଶ ପାଇଁ ଭିତ୍ତିଭୂମି ସୁଦୃଢ଼ ହେବା ଜରୁରୀ । ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ବିକାଶଧାରା ଜୋର ଧରିଛି । ଓଡ଼ିଶା ଅନେକ ସମ୍ଭାବନା ରହିଛି । ଓଡ଼ିଶାର ରାସ୍ତା ଆମେରିକା ଭଳି ହେବ । ନିର୍ବାଚନ ବେଳେ ଧର୍ମେନ୍ଦ୍ରଙ୍କୁ ଯାହା ପ୍ରତିଶୃତି ଦେଇଥିଲି ତାହା ପୂରଣ କରିବି’। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ବିକାଶ କରିବାକୁ ହେଲେ ସଡ଼କ ପଥର ଭିତ୍ତିଭୂମି ଆବଶ୍ୟକ ରହିଛି । ଓଡ଼ିଶାରେ ୨ ଲକ୍ଷ କୋଟିର ପ୍ରକଳ୍ପ କାମ ଚାଲୁ ରହିଛି । ରାଞ୍ଚି-ସମ୍ବଲପୁର ଦ୍ବିତୀୟ କରିଡର୍ ୮୦୦୦ କୋଟି ବ୍ୟୟରେ ହେବ । ଚଣ୍ଡିଖୋଲ-ପାରାଦୀପ କରିଡର୍ ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବ । ୨ ଘଣ୍ଟାର ଯାତ୍ରା ହ୍ରାସ ପାଇ ୧ ଘଣ୍ଟା ମଧ୍ୟରେ ହେବ । ୫ ହଜାର କୋଟିର ବାଇପାସ ପ୍ରକଳ୍ପକୁ ଅନୁମତି ମିଳିଥିବା ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏଥିସହ ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । କ୍ୟାବିନେଟ ମଞ୍ଜୁରୀ ପରେ ଭୁବନେଶ୍ବର ରିଙ୍ଗରୋଡ୍ କାମ ଆରମ୍ଭ ହେବ ବୋଲି ଗଡକରୀ କହିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ଭିତ୍ତିଭୂମିର ବିକାଶ ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଡ଼କ ନିର୍ମାଣ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ୨୦୧୪ରେ ସେତେବେଳର ସରକାର ଦିନକୁ ମାତ୍ର ୧୪ କିମି ରାସ୍ତା ନିର୍ମାଣ କରୁଥିବାବେଳେ ବର୍ତ୍ତମାନ ସରକାର ଦିନକୁ ୧୦୦ କିମି ରାସ୍ତା ନିର୍ମାଣ କରୁଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ୪ଟି ନୂତନ ପ୍ରସ୍ତାବ ଦେଇଛନ୍ତି । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ୬ ଥାକିଆ ହେବାକୁ ପ୍ରସ୍ତାବିତ ଥିବାବେଳେ ମୁଖ୍ୟମନ୍ତ୍ରୀ ୮ ଥାକିଆ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି କୋଷ୍ଟାଲ୍ ଲେନ୍ ବା ଉପକୂଳ ରାସ୍ତାକୁ ୨ ଥାକିଆରୁ ୪ ଥାକିଆ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି ସିଆରଆଇ ଫଣ୍ଡରୁ ରାଜ୍ୟକୁ ଅଂଶ ଦେଇ ଭିତ୍ତିଭୂମିର ବିକାଶ କରିବାକୁ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛନ୍ତି । ତେବେ ଏହି ସମସ୍ତ ରାସ୍ତା ନିର୍ମାଣ ହେଲେ ଯାତାୟାତ ସହିତ ଆର୍ଥିକ ବିକାଶ ହେବ ଓ ଲୋକଙ୍କୁ ଲାଭ ପହଁଚାଇବ।

Related Articles

Back to top button