ହୀରାକୁଦ ଜଳଭଣ୍ଡାରର ଖୋଲିଲା ୨୦ ଟି ଗେଟ୍: ତଳିଆ ଅଞ୍ଚଳକୁ ସତର୍କତା ଜାରି

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି। ଗତକାଲି (ଗୁରୁବାର) ୮ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାସିତ ହେଉଥିବା ବେଳେ ଏବେ ୨୦ଟି ଗେଟ୍ ଦେଇ ବନ୍ୟା ପାଣି ଛଡାଯାଉଛି। ଆଜି ସକାଳ ସୁଦ୍ଧା ୧୨ଟି ଗେଟ୍ ଦେଇ ବନ୍ୟା ପାଣି ଛଡାଯାଉଥିଲା। ହେଲେ ଡ୍ୟାମରେ ଜଳସ୍ତର ବଢୁଥିବାରୁ ଆଜି (ଶୁକ୍ରବାର) ଆଉ ୧୨ଟି ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଜଳପ୍ରବେଶ ବଢିବାରେ ଲାଗିଛି। ମଧ୍ୟାନ୍ନ ୩ ଟା ସୁଦ୍ଧା ୬୦୯.୩୯ ଫୁଟ ଜଳସ୍ତର ରହିଛି । ଉପର ମୁଣ୍ତରୁ ସେକେଣ୍ତ ପ୍ରତି ୨ ଲକ୍ଷ ୫୧ ହଜାର ୪୯୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୨ ଲକ୍ଷ ୭୫ ହଜାର ୩୯୬ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ସହ ଏବେ ହୀରାକୁଦରୁ ବନ୍ୟା ଜଳ ନିସ୍କାସନ କରାଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଜିଲ୍ଲାମାନଙ୍କୁ ସତର୍କ କରାଯାଇଛି। ସେପଟେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଆଜି ସକାଳ ୫ଟା ୩୦ ସମୟରେ ସୃଷ୍ଟି ହୋଇଛି ଅବପାତ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Related Articles

Back to top button