ହକି ବିଶ୍ୱକପ ମ୍ୟାଚ ସମୟରେ ଦର୍ଶକଙ୍କୁ ମୋ ବସରେ ମାଗଣା ଯାତ୍ରା କରିବାର ସୁଯୋଗ ଦିଆଯିବ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ମାସ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଏହି ବିଶ୍ୱସ୍ତରୀୟ ଇଭେଣ୍ଟର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ତେବେ ବିଶ୍ୱକପକୁ ଦୃଷ୍ଟିରେ ରଖି ରାଜଧାନୀର ଟ୍ରାଫିକ ପରିଚାଳନା ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏଥିସହିତ ହକିର ପ୍ରଚାର, ପ୍ରସାର ପାଇଁ ସ୍କୁଲ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ତେବେ ଏହା ମଧ୍ୟରେ ହକି ପ୍ରେମୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଭୁବନେଶ୍ୱରରୁ ରାଉରକେଲାକୁ ଯିବା ପାଇଁ ହକି ଟିମମାନଙ୍କୁ ବିମାନ ସେବା ଯୋଗାଇ ଦିଆଯିବ । ଜାନୁଆରୀ ମାସରୁ ରାଉରକେଲାରେ ମୋ ବସ ସେବା ଆରମ୍ଭ ହେବ । ମ୍ୟାଚ ସମୟରେ ଦର୍ଶକଙ୍କୁ ମୋ ବସରେ ମାଗଣା ଯାତ୍ରା କରିବାର ସୁଯୋଗ ଦିଆଯିବ ବୋଲି ଜଣପାଡ଼ିଛି । ଉଭୟ ରାଉରକେଲା ଓ ଭୁବନେଶ୍ୱରରେ ଏହା ଲାଗୁ ହେବ । ଏଥିସହିତ ଜାନୁଆରୀ ମାସ ୧୧ ତାରିଖରେ କଟକରେ ହକି ବିଶ୍ୱକର ଉତ୍ସବ ପାଳନ କରାଯିବ । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ହକି ଉତ୍ସବ ପାଳନ କରାଯିବ ବୋଲି କୁହାଯାଇଛି ।

ରାଜ୍ୟର ସମସ୍ତ ଜିଲ୍ଲାରେ ହକି ବିଶ୍ୱକପ ଉତ୍ସବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସମସ୍ତ ସ୍କୁଲ କଲେଜର ପିଲାଙ୍କୁ ଅଂଶଗ୍ରହଣ କରିବାକୁ କୁହାଯାଇଛି । ଯେଉଁ ଜିଲ୍ଲା ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ଉକ୍ତ ଜିଲ୍ଲାକୁ ପୁରସ୍କୃତ କରାଯିବ । ଜିଲ୍ଲାପାଳମାନେ ସହର ଓ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରିବେ । ଲୋକସେବା ଭବନରେ ବସିଥିବା ହକି ବିଶ୍ୱକପ ଆୟୋଜନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

Related Articles

Back to top button