ପାପର ପ୍ରାୟଶ୍ଚିତ ପାଇଁ ଶ୍ରୀକ୍ଷେତ୍ରରେ ବରଗଡ ଧନୁଯାତ୍ରାର କଂସ

ପୁରୀ: ବିଶ୍ୱର ସର୍ବବୃହତ୍‍ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ଖ୍ୟାତି ଅର୍ଜନ କରିଥିବା ବରଗଡ ଧନୁଯାତ୍ରା ଶୁକ୍ରବାର ଶେଷହୋଇଛି । ପରମ୍ପରା ଅନୁସାରେ କଂସ ଚରିତ୍ରରେ ଅଭିନୟ କରିଥିବା ହୃଷିକେଶ ଭୋଇ ଆଜି ପୁରୀ ମହୋଦଧିରେ ବୁଡ଼ ପକାଇ ନିଜର ଭୁଲ ପାଇଁ କ୍ଷମା ମାଗିଛନ୍ତି । ଏହି ଯାତ୍ରା ୧୧ ଦିନ ଧରି ବେଶ୍‍ ଧୁମ୍‍ଧାମରେ ଚାଲିଥିଲା । ଶୁକ୍ରବାର ଅନ୍ତିମ ସନ୍ଧ୍ୟାରେ ମହାରାଜ କଂସଙ୍କୁ ବଧ କରିଥିଲେ ଶ୍ରୀକୃଷ୍ଣ । ଅପରାହ୍ଣରେ ମଥୁରା ପରିକ୍ରମା କରିବା ପରେ ହାଟପଦା ରାଜ ଦରବାରରେ ପ୍ରଥମେ କୃଷ୍ଣ ବଳରାମ ପହଂଚି ଶିବ ଧନୁ ଭାଙ୍ଗିଥିଲେ । ଏହାପରେ ଲୋକ ମଣ୍ଡପ ପଡ଼ିଆରେ କୁବଳୟା ହସ୍ତୀ ବଧ, ଚାଣୁର ମୁଷ୍ଟିକ ବଧ, କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟ ଅଭିଷେକ ଦୃଶ୍ୟ ଅଭିନୀତ ହୋଇଥିଲା । ମାମୁଁ ଭଣଜାଙ୍କ ସମରରେ କଂସ ଧରାଶାୟୀ ହୋଇ ତଳେ ପଡିଯାଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଜଗତଗୁରୁଙ୍କ ଶଙ୍କରାଚାର୍ଯ୍ୟଙ୍କ ଶରଣରେ କଂସ ଯାଇଥିଲେ। କୃଷ୍ନ ଭଗବାନ କଟୁ କଥା କହିଥିବାରୁ କ୍ଷମା ମାଗିଛନ୍ତି ଅଭିନୟ କରିଥିବା କଂସ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ହୃଷିକେଶ ଭୋଇ। ଦୀର୍ଘ ୧୧ ଦିନ ଧରି କଂସ ଭୂମିକାରେ ଅଭିନୟ କରି ମହାପ୍ରଭୂ ଶ୍ରୀକୃଷ୍ଣଙ୍କୁ କଟୁ କଥା କହିବା ସହ ମାରିବା ପାଇଁ ଉଦ୍ୟମ କରି ମହାପାପ କରିଥିବାରୁ ଜଗନ୍ନାଥ ଧାମ ପୁରୀ ଆସି ନିଜେ କରିଥିବା ଭୁଲର ପ୍ରାୟଶ୍ଚିତ କରିଛନ୍ତି। ପ୍ରଥମେ ସେ ଗୋବର୍ଦ୍ଧନ ମଠ ଯାଇ ଶଙ୍କରାଚାର୍ଯ୍ୟଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ସେ ସମୁଦ୍ରକୁ ଯାଇ ବୁଡ ପକାଇବା ସହ ପଇତା ବିସର୍ଜନ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଓ ନମସ୍କାର କରିଛନ୍ତି। ପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଅଭିନୟରେ କରିଥିବା ପାପ କ୍ଷମା ପାଇଁ ପ୍ରାର୍ଥନା କରିଛନ୍ତି।

Related Articles

Back to top button