ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳ ହେଲେ ନୂଆ ଏସଆରସି

ଭୁବନେଶ୍ୱର:  ବରିଷ୍ଠ ଆଇଏଏସ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟ ସରକାରଙ୍କର ପରବର୍ତ୍ତୀ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଭାବେ ଦାୟିତ୍ୱ ନେବେ । ବର୍ତ୍ତମାନ ଶକ୍ତି ଓ ଅବକାରୀ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ନିକୁଞ୍ଜ । ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଆରମ୍ଭ କରିଲେ । ନିକୁଞ୍ଜଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।

୧୯୯୩ ବ୍ୟାଚର ଆଇଏଏସ ଅଫିସର ନିକୁଞ୍ଜ ଏସଆରସି ଓ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଏମଡି ଭାବେ ଦାୟିତ୍ୱ ନେବେ । ଏହା ପୂର୍ବରୁ ପ୍ରଦୀପ ଜେନା ରାଜ୍ୟ ସରକାରଙ୍କର ଏସଆରସି ଦାୟିତ୍ୱରେ ରହିଥିଲେ । ଶ୍ରୀ ଜେନା ଆସନ୍ତାକାଲି ଠାରୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟାରମ୍ଭ କରିବେ । ପ୍ରଦୀପଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏନେଇ ଗତ ୨୬ ତାରିଖରେ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଭାବେ ଶ୍ରୀ ଜେନାଙ୍କ ନାମ ଘୋଷଣା କରିବା ସହ ରାଜ୍ୟ ସରକାର ସୁରେଶଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଥିଲେ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଦାୟିତ୍ୱ ନେବେ ସୁରେଶ । ସୁରେଶଙ୍କ ନିଯୁକ୍ତି ନେଇ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Related Articles

Back to top button