କ୍ରସର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଇଏଏସ୍ ଅଧିକାରୀ

ଜଣେ କ୍ରସର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଇଏଏସ୍ ଅଧିକାରୀ। ସେ ହେଉଛନ୍ତି ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍‌ ଚକ୍‌ମା। ଉପଜିଲ୍ଲାପାଳ ସଂପୃକ୍ତ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ବେଳେ ରବିବାର ସନ୍ଧ୍ୟାରେ ନିଜ ସରକାରୀ କ୍ବାର୍ଟର୍ସରେ ଶ୍ରୀ ଚକ୍‌ମା ପ୍ରଥମ କିସ୍ତିରେ ୧୦ ଲକ୍ଷ ଟଙ୍କା ନେଉଥିବାବେଳେ ଧରାପଡ଼ିଛନ୍ତି। ଲାଞ୍ଚ ଡିଲ୍ ହେବା ପରେ ବ୍ୟବସାୟୀ ଜଣକ ଭିଜିଲାନ୍ସକୁ ଜଣାଇଥିଲେ।ଯୋଜନା ଅନୁଯାୟୀ ଗତକାଲି ଭିଜିଲାନ୍ସ ଟିମ୍ ଉପଜିଲ୍ଲାପାଳଙ୍କ ଗତିବିଧି ଉପରେ ନଜର ରଖିଥିଲା। ସନ୍ଧ୍ୟାରେ ଉପଜିଲ୍ଲାପାଳ ସରକାରୀ ଗାଡ଼ିରେ କ୍ୱାର୍ଟର୍ସକୁ ଯାଇଥିଲେ। ତାଙ୍କ ଗାଡ଼ି ଯିବାର କିଛି ସମୟ ପରେ ଭିଜିଲାନ୍ସ ଟିମ୍ କ୍ବାର୍ଟର୍ସରେ ପଶି ତାଙ୍କ ଘର ଡ୍ର’ ଯାଞ୍ଚ କରିବା ପରେ କେମିକାଲ ବୋଳା ୧୦ ଲକ୍ଷ ଟଙ୍କା ମିଳିଥିଲା। ଏହାପରେ ଉପଜିଲ୍ଲାପାଳଙ୍କୁ ଭିଜିଲାନ୍ସ ଅଧିକାରୀମାନେ ନିଜ ହେପାଜତକୁ ନେଇ ପଚରାଉଚରା କରିଥିଲେ। ହେଲେ ଏହି ଟଙ୍କା ସମ୍ପର୍କରେ ସେ ସଠିକ୍ ଉତ୍ତର ଦେଇପାରି ନ ଥିଲେ। ଏହାପରେ ତାଙ୍କ ଘର ଯାଞ୍ଚ କରିବା ପରେ ସେଠାରୁ ୪୭ ଲକ୍ଷ ଟଙ୍କା ମିଳିଥିଲା। ଏହାପରେ ଭିଜିଲାନ୍ସ ତାଙ୍କ ଅଫିସ, କ୍ୱାର୍ଟର୍ସ ଏବଂ ପୈତୃକ ବାସଭବନରେ ରାତି ତମାମ୍‌ ଯାଞ୍ଚ କରିଥିଲା।

୨୦୨୧ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଧୀମାନ୍‌ ଚକ୍‌ମା ନିଯୁକ୍ତି ପରେ ଦୁର୍ନୀତିରେ ବୁଡ଼ି ରହିଥିଲେ। ସେ ଲୋକଙ୍କୁ ଧମକାଇ ଲାଞ୍ଚ ମାଗୁଥିଲେ ବୋଲି ଅଭିଯୋଗ ହୋଇଛି। କ୍ରସର ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ଭିଜିଲାନ୍ସ ଏହି ଚଢ଼ଉ କରିବା ସହ ଏକ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ କରୁଛି। ଉପଜିଲ୍ଲାପାଳଙ୍କ ଆକାଉଣ୍ଟରେ କେତେ ଟଙ୍କା, ଜମି, ଘର ଓ ପ୍ଲଟ ଆଦି ରହିଛି, ତା’ର ଯାଞ୍ଚ କରୁଛି ଭିଜିଲାନ୍ସ।

Related Articles

Back to top button