୬ ଦିନରେ ହେଲା ହେରାପଞ୍ଚମୀ ନୀତି ପରମ୍ପରା

ପୁରୀ : ବର୍ଷବର୍ଷ ଧରି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମଦିନରେ ହେରାପଞ୍ଚମୀ ନୀତି ପାଳନ କରାଯାଏ । ଏହି ହେରାପଞ୍ଚମୀ ନୀତିରେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଗୋପନଯାତ୍ରା ଓ ରଥଭଙ୍ଗା ନୀତି ସଂପନ୍ନ ହୋଇଥାଏ । କିନ୍ତୁ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ପରମ୍ପରାକୁ ଭାଙ୍ଗି ୫ ଦିନ ବଦଳରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ୬ ଦିନରେ ହେରାପଞ୍ଚମୀ ନୀତି ସଂପନ୍ନ ହୋଇଛି। ଆଜି ଭୋର୍ ପ୍ରାୟ ୫ଟା ୨୫ରେ ମା’ଙ୍କ ଏହି ନୀତି ସଂପନ୍ନ ହୋଇଛି। ସେପଟେ ନୀତି ବିଳମ୍ବ ଯୋଗୁ ଆଜି ବି ମହାପ୍ରଭୁ ଅନିଦ୍ରା ରହିଛନ୍ତି। ବିନା ପହୁଡ଼ରେ ମହାପ୍ରଭୁଙ୍କ ଆଜିର ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଛି।

ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଅଜାଣତରେ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି ମହାପ୍ରଭୁ । ରତ୍ନବେଦି ଛାଡ଼ି ଜନ୍ମବେଦିକୁ ବୁଲି ଆସିଛନ୍ତି। ସେପଟେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ବି ଫିଟିନି। ନବବିବାହିତା ଲକ୍ଷ୍ମୀ ଠାକୁରାଣୀ ବିରହ ବେଦନା ସହ୍ୟ କରି ନ ପାରି ମା’ ବିମଳାଙ୍କ ପରାମର୍ଶ କ୍ରମେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନଯାତ୍ରା କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ମା’ ଲକ୍ଷ୍ମୀ ଅପମାନ ଓ ରାଗରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି। ଚଳିତ ବର୍ଷ ଏହି ନୀତିଟି ୫ ଦିନ ବଦଳରେ ୬ ଦିନରେ ପାଳନ କରି ପରମ୍ପରାକୁ ଖଣ୍ଡିତ କରିଥିଲେ ।

ଶ୍ରୀମନ୍ଦିର ଦକ୍ଷିଣି ଘରେ ବିଜେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନେ ମାଜଣା କରିଥିଲେ। ଏହାପରେ ମା’ଙ୍କ ବନକଲାଗି ସହ ପାଟ ଶାଢ଼ି, ଅଳଙ୍କାର ଲଗାଇ ସେବକଙ୍କ ଦ୍ୱାରା ପନ୍ତିଭୋଗ ନୀତି ବଢ଼ିଥିଲା । ଭୋଗପରେ ବିମାନରେ ମା’ ଲକ୍ଷ୍ମୀ ଠାକୁରାଣୀ ଘଣ୍ଟ, ଛତା ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ ପାଖରୁ ଆରମ୍ଭ ହୋଇଥିଲା। ରଥ ତଳେ ମା’ଙ୍କ ନୀତି ସଂପନ୍ନ ହୋଇଥିଲା।

Related Articles

Back to top button