ଡିଏନ୍ ଗ୍ରୁପରେ ଆୟକର ବିଭାଗ ଚଢ଼ଉ : ମିଳିଲା ୧୦୫ କୋଟି କାରବାରର ଚିଠା

ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ବୁଧବାର ଠାରୁ ଚଢ଼ଉ ଚାରି ରଖିଛି। ଏହି କ୍ରମରେ ଆୟକର ବିଭାଗର ୭ଟି ଟିମ୍‌ରେ ସାମିଲ ହୋଇଥିବା ଅଧିକାରୀ ଓ କର୍ମଚାରୀମାନେ ଆଜି ଦ୍ବିତୀୟ ଦିନରେ ମଧ୍ୟ ଚଢ଼ଉ ଜାରି ରଖିଛନ୍ତି । ସଂସ୍ଥାର ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି । ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଥିଲା। ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି। ଗତକାଲି ଚଢ଼ଉ ସମୟରେ ନଗଦ ୩୦ କୋଟି ଟଙ୍କା ଜବତ ହେବା ଘଟଣା ସୃଷ୍ଟି କରିଥିଲା ଆଲୋଡ଼ନ ।

 

ତେବେ ଆଜି ଦ୍ୱିତୀୟ ଦିନରେ ମିଳିଛି ଏମିତି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଜି ଚଢ଼ାଉ ବେଳେ ୧୦୫ କୋଟି କାରବାରର ଚିଠା ମିଳିଥିବା ସୂଚନା । କମ୍ପାନୀ ଫ୍ଲାଟ୍‌ ପାଇଁ ୮୦ କୋଟି ଟଙ୍କା ଆଦାୟର ଚିଠା ଓ ଏଥି ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୨୫ କୋଟି କାରବାର ଚିଠା ପାଇଛନ୍ତି ଆଇଟି ଟିମ । ତେବେ ଏନେଇ ଡିଏନ ଗ୍ରୁପ୍ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଖୁବଶୀଘ୍ର ଇଡି ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିବ ବୋଲି ସୂଚନା ମିଳିଛି ।

 

ଅନ୍ୟପଟେ ଆୟକର ବିଭାଗର ଏହି ଚଢ଼ାଉ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଡିଏନ ଗ୍ରୁପର ବ୍ୟବସାୟୀଙ୍କ ସହ ତୃତୀୟ ମହଲାର ସଂପର୍କ ରହିଛି ବୋଲି ବିଜେପିର ବରିଷ୍ଠ ନେତା ଅନୀଲ ବିଶ୍ୱାଳ କହିଛନ୍ତି । ସେ କହିଛନ୍ତି, ରିଅଲ ଇଷ୍ଟେଟ ମାଧ୍ୟମରେ ଅଣଓଡ଼ିଆ ଆଇଏଏସ୍‌ଙ୍କ କଳା ଟଙ୍କା ଧଳା ହେଉଥିଲା। ବିଜେଡି ନେତା ଓ ବିଧାୟକଙ୍କର ବି ମନି ଲଣ୍ଡ୍ରିଂ ମାଧ୍ୟମ ସାଜିଥିଲା ଏହି କଂପାନୀ। କଂପାନୀ ମାଲିକ ଜଗଦୀଶ ନାୟକଙ୍କ ସହ ସିଏମ୍‌ଓର ଘନିଷ୍ଠ ସଂପର୍କ ରହିଛି ବୋଲି ଶୁଣିବାକୁ ମିଳିଛି । ସେହିପରି ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଲୋକଙ୍କ ଆଶଙ୍କା ଡିଏନ ଗ୍ରୁପର ଲିଗାଲ ଅଫିସରଙ୍କ ଘରୁ ଜବତ ହୋଇଥିବା ଟଙ୍କା ଶାସକ ଦଳର ଗଚ୍ଛିତ ଟଙ୍କା। ସବୁଠାରୁ ବଡ଼ କଥା ହେଲା ଏ ଟଙ୍କା କାହାର, କିଏ ମହଜୁଦ ରଖିଛି ? ଶାସକ ଦଳର କଳା ଟଙ୍କା ସେଠି ବିନିଯୋଗ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

 

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ୩୦ କୋଟି ଟଙ୍କା ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଜବତ ହୋଇଥିବା ଏହି କୋଟି କୋଟି ଟଙ୍କା ବଡ଼ ବଡ଼ ଅଫିସର ଓ ଶାସକ ଦଳର । ନିର୍ବାଚନରେ ଖଟେଇବା ପାଇଁ ଏ ଟଙ୍କା ରଖାଯାଇଥିଲା । କେଉଁ ବିଧାୟକ ଓ ମନ୍ତ୍ରୀଙ୍କ ଟଙ୍କା ତାର ଖୁଲାସା ହେବା ଆବଶ୍ୟକ । ଘଟଣାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।

Related Articles

Back to top button