ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ବନ୍ଧ : ପାଣି ଘେରରେ ଲୋକେ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେଓପୁର ନିକଟରେ ସୋମବାର ସକାଳୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ବନ୍ଧ ଭାଙ୍ଗିଯାଇଛି । ଫଳରେ ୪୦ ମିଟର ଘାଇ ସୃଷ୍ଟି ହୋଇଛି । ଏବଂ କେନାଲ ପାଣି ଗାଁ ଭିତରେ ପଶିବା ସହ ଘାଇ ଯୋଗୁଁ ଶହଶହ ଚାଷ ଜମି ଜଳମଗ୍ନ ହୋଇଛି । ଏହାସହିତ ଜମିରେ ବାଲିଚର ମାଡି ଯାଇଛି । ଯାହା ଦ୍ୱାରା ବ୍ୟାପକ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ ସୋମବାର ଭୋର ସମୟରେ ହଠାତ୍ କେନାଲରେ ଘାଇ ସୃଷ୍ଟି ହୋଇ କିଛି ସେକେଣ୍ଡ ମଧ୍ୟରେ ପାଣି ବେକ ପର୍ଯ୍ୟନ୍ତ  ଚାଲିଆସିଥିଲା। ସେଥିପାଇଁ ଘରର ଆଜବେଷ୍ଟ ଭାଙ୍ଗି ଲୋକମାନେ ବାହାରକୁ ଆସିଥିଲେ ଏବଂ ସ୍ଥାନୀୟ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାର କରି ଉଚ୍ଚ ସ୍ଥାନକୁ ନିଆଯାଇଥିଲା। ଖାଲିସେତିକି ନୁହେଁ ଗାଁ ଭିତରେ ପାଣି ପଶି ଲୋକମାନଙ୍କ ଜିନିଷପତ୍ର ମଧ୍ୟ ଭାସିଯାଇଛି। ଏବଂ ଗାଁ ଭିତରେ ପାଣି ଚଳାଚଳ ଯୋଗୁଁ ଜୁନାଗଡ଼ ରୁ କଲମପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇ ଗାଁ ରାସ୍ତାରେ ୫ ଫୁଟର ପାଣି ଚାଲିଛି। ତେବେ ବାରମ୍ବାର କେନାଲ ବନ୍ଧ ଭାଙ୍ଗିବା ଘଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଠିକା ସଂସ୍ଥାର ନିମ୍ନମାନର କାମକୁ ଚାଷୀ ଦାୟୀ କରିଛନ୍ତି । ସେପଟେ କେନାଲ ବନ୍ଧ ଭାଙ୍ଗିବା ଫଳରେ କଲମପୁର ଜୁନାଗଡ ରାସ୍ତା ଏକ ପ୍ରକାର ଠପ ହୋଇଯାଇଛି ।

Related Articles

Back to top button