ଜାରି ହେଲା ନିର୍ଦ୍ଦେଶନାମା : ଖରାରେ କାମ କରିବେନି ଶ୍ରମିକ 

ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ଖରାରେ ଅସ୍ତବ୍ୟସ୍ତ ଜନଜୀବନ। । ଜୀବନ ଯାତ୍ରାକୁ ପ୍ରଭାବିତ କରିଛି ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି । ପାଣିପାଗ ବିଭାଗ ଅନୁଯାୟୀ ଏପ୍ରିଲ, ମେ ଓ ଜୁନ୍ ୩ ମାସ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହେବ। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଦିନ ୧୧ଟାରୁ ସାଢେ ୩ଟା ଯାଏଁ ଶ୍ରମିକଙ୍କୁ କାମ କରିବା ପାଇଁ ବାରଣ କରାଯାଇଛି। ଏପ୍ରିଲ ଆରମ୍ଭରୁ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବାରୁ ଅଂଶୁଘାତକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ସମ୍ପୂର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନେ ଏପ୍ରିଲରୁ ଜୁନ୍ ୧୫ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେ ନାହିଁ। ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ପଦକ୍ଷେପ ନେବା ପାଇଁ ସମସ୍ତ ରାଜସ୍ବ କମିଶନର, ଜିଲାପାଳ ଏବଂ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦି କୌଣସି କାର୍ଯ୍ୟ ଜରୁରୀ ମନେ ହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ତେବେ ସତର୍କମୂଳକ ପଦକ୍ଷେପ ନେବେ। ଯଥା ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ପ୍ରତ୍ୟେକ ଶ୍ରମିକଙ୍କ ପାଇଁ ଓଆର୍‌ଏସ୍ ପ୍ୟାକେଟ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ସମ୍ଭାବ୍ୟ ମୁକାବିଲା ପାଇଁ ଡାକ୍ତରଖାନାଗୁଡିକ ପ୍ରସ୍ତୁତ ରହିବେ।

Related Articles

Back to top button