ପୁଣି ୨୪ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ଉତ୍ତେଜନା ଥମିନି । ହନୁମାନ ଜୟନ୍ତୀ ହିଂସା ପ୍ରତିବାଦରେ ଆଜି  ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁର ସମେତ ୧୪ଟି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦକୁ ବିଜେପି ମଧ୍ୟ ସମର୍ଥନ କରିଛି । ତେଣୁ ପରିସ୍ଥିତିକୁ ଦେଖି ପୁଣି ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ଆସନ୍ତାକାଲି ସକାଳ ୧୦ଟା ଯାଏ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି । ତେବେ କିଛି କିଛି ଅଞ୍ଚଳରେ ଏହି ନିୟମକୁ କୋହଳ କରାଯାଇଛି । ଲିଜ ଲାଇନ ନେଇଥିବା ବ୍ୟାବସାୟିକ ଅନୁଷ୍ଠାନରେ ଇଣ୍ଟରନେଟ ସେବା ଚାଲୁ ରହିବ । ମିଳିଥିବା ସୂଚନା ଅନୁସାରେ,  କୁଚିଣ୍ଡା, ରେଢ଼ାଖୋଲ, ନାକଟିଦେଉଳ, ଯୁଯୁମରାରେ ଏହି ସେବା ଉପଲବ୍ଧ ହେବ । ଏପରିକି ବାମରା ଓ ଯମନକିରା ଅଞ୍ଚଳରେ ବି ସେବା ଦିଆଯିବ ।
ସୂଚନାଥାଉ କି, ହନୁମାନ ଜୟନ୍ତୀ ଅବସରରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିଲା । ଗତକାଲି ସକାଳ ୧୦ଟାରେ ଇଣ୍ଟରନେଟ ସେବା ଯୋଗାଇ ଦେବାର ଥିଲା । କିନ୍ତୁ ଏହାକୁ ପୁଣି ୨୪ ଘଣ୍ଟା ପାଇଁ ବଢାଇ ଦିଆ ଯାଇଥିଲା  ଯାହାର ଅବଧି ଆଜି ୧୦ଟା ପର୍ଯ୍ୟନ୍ତ ଥିଲା । ହେଲେ ଆଜି ପୁଣି ଏହାର ଅବଧିକୁ ବଢାଇ ଦିଆ ଯାଇଛି । ଆସନ୍ତାକାଲି ୧୦ଟା ଯାଏ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ । ତେବେ ଆଜି କେତେକ ଅଞ୍ଚଳରେ ଏହାକୁ କୋହଳ କରାଯାଇଛି ।
ସୂଚନାଥାଉ କି, ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ସମ୍ବଲପୁରରେ ପରିସ୍ଥିତି ଅଶାନ୍ତ ହୋଇ ପଡିଥିଲା । ଗତ ୧୪ ତାରିଖ ଅର୍ଥାତ ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା କରାଯାଇଥିଲା ।  ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲେ ହେଁ  ରବିବାର ସହରରେ ପୁଣି  ହିଂସାକାଣ୍ଡ ଘଟିଥିଲା । ତେଣୁ ପ୍ରଶାସନ ପକ୍ଷରୁ  କର୍ଫ୍ୟୁ ଜାରି କରାଗଲା । ଏବେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି ।   ପରିସ୍ଥିତିକୁ ଦେଖି  ପ୍ରଶାସନ ପକ୍ଷରୁ ଏପ୍ରିଲ ୧୩ ତାରିଖରୁ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିଲା ।
ଅନ୍ୟପକ୍ଷେ ଗତକାଲି ପାେଲିସ କିଛି ବିଜେପି ସାଂସଦ ସମ୍ବଲପୁର ଅଭିମୁଖେ ଯାଉଥିବାବେଳେ ତାଙ୍କୁ ଅଟକ ରଖି ପରେ ଗିରଫ କରିଥିଲା । ଏମାନେ ଝାରସୁଗୁଡାରୁ ସମ୍ବଲପୁର ଯାଉଥିଲେ । ସେମାନଙ୍କୁ ପୋଲିସ ଠେଲକୁଲି ଥାନାରେ  ପ୍ରଥମେ ଅଟକ ରଖି ପରେ ଗିରଫ କରିଥିଲା । ଏହି ଟିମରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଭାପତି ମନମୋହନ ସାମଲ , ବିଧାୟକ ନାଉରୀ ନାଏକ, କୁସୁମ ଟେଟେ, ଶଙ୍କର ଓରାମ ପ୍ରମୁଖ ସାମିଲ ଥିଲେ । ଏହାକୁ ନେଇ ପରିସ୍ଥିତି ପୁଣି ଉତ୍ତେଜନାପୂର୍ଣ୍ଣ ହୋଇଥିଲା ।

Related Articles

Back to top button