ଆଇଆରସିଟିସି ଲଞ୍ଚ କଲା ଜଗନ୍ନାଥ ଯାତ୍ରା ପ୍ୟାକେଜ୍: ଭାରତ ଗୌରବ ସ୍ପେଶାଲ ଟ୍ରେନ ମାଧ୍ୟମରେ ଯାତ୍ରୀମାନେ ୭ ରାତି ଓ ୮ ଦିନର ଯାତ୍ରାକୁ ଉପଭୋଗ କରିବେ

ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଜଗନ୍ନାଥ ଯାତ୍ରା ପ୍ୟାକେଜ୍ ଲଞ୍ଚ କରାଯାଇଛି । ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସ ୨୫ ତାରିଖରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଭାରତ ଗୌରବ ସ୍ପେଶାଲ ଟ୍ରେନ ମାଧ୍ୟମରେ ଯାତ୍ରୀମାନେ ୭ ରାତି ଓ ୮ ଦିନର ଯାତ୍ରାକୁ ଉପଭୋଗ କରିବେ ।

ଏହି ପ୍ୟାକେଜ୍ ମାଧ୍ୟମରେ ଯାତ୍ରୀମାନେ ଆପଣମାନେ କାଶୀ ବିଶ୍ୱନାଥ ମନ୍ଦିର ଏବଂ କରିଡର, ଗଙ୍ଗା ଆରତୀ, ଦଶାଶ୍ୱମେଧ ଘାଟ, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର, ସମୁଦ୍ର କୂଳ, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ପରଶୁରାମେଶ୍ୱର ମନ୍ଦିର, ଉଦୟଗିରି ଗୁମ୍ଫା, କୋଣାର୍କ ସୂର୍ଯ୍ୟ ମନ୍ଦିର, ବୈଜନାଥ ବୈଜନାଥଧାମ ଜ୍ୟୋତିର୍ଲିଙ୍ଗ ମନ୍ଦିର ଏବଂ ଗୟାରେ ବିଷ୍ଣୁପଦ ମନ୍ଦିର ଦର୍ଶନ ସୁବିଧା ପାଇବେ ।

ବଜେଟ ଅନୁଯାୟୀ ଆପଣମାନେ ଏଥିରେ ତିନି ପ୍ରକାରର ପ୍ୟାକେଜ ସୁବିଧା ପାଇବେ । ତିନୋଟି ଯାକ ପ୍ୟାକେଜ ଟ୍ରେନରେ ହେବ ଓ ଏଥିରେ ୩ ଏସି କ୍ଲାସ ସୁବିଧା ରହିବ । କମ୍ପର୍ଟ ଟ୍ରେଣୀ ପ୍ୟାକେଜରେ ଡିଲକ୍ସ ହୋଟେଲରେ ଏସି ରୁମରେ ରାତ୍ରି ରହଣି ବ୍ୟବସ୍ଥା ରହିବ । ସକାଳ ଜଳଖିଆ, ଦ୍ୱିପ୍ରହର ଓ ରାତ୍ରିରେ ଶାକାହାରୀ ଭୋଜନ, ଏସି ବସ୍ ଦ୍ୱାରା ସ୍ଥାନୀୟ ଅଞ୍ଚଳ ଭ୍ରମଣ ସୁବିଧା ରହିବ । ଜଣେ ବ୍ୟକ୍ତିଙ୍କୁ ୨୯,୦୩୫ ଟଙ୍କା, ଦୁଇ / ତିନି ଜଣ ଏକତ୍ର ରହିଲେ ଜଣଙ୍କୁ ୨୫,୨୪୫ ଟଙ୍କା ଦେବାକୁ ପଡ଼ିବ ।

ସୁପିରିୟର ଶ୍ରେଣୀରେ ହୋଟେଲରେ ଏସି ରୁମରେ ରାତ୍ରି ବିଶ୍ରାମ, ସକାଳ ଜଳଖିଆ, ଦ୍ୱିପ୍ରହର ଓ ରାତିରେ ଶାକାହାରୀ ଭୋଜନ, ନନ ଏସି ବସ୍ ଦ୍ୱାରା ସ୍ଥାନୀୟ ଅଞ୍ଚଳ ଭ୍ରମଣ କରାଯିବ । ଜଣଙ୍କୁ ୨୩,୨୧୫ ଟଙ୍କା, ଦୁଇ / ତିନି ଜଣ ଏକତ୍ର ରହିଲେ ଜଣଙ୍କୁ ୨୦,୧୮୪ ଟଙ୍କା ଦେବାକୁ ପଡ଼ିବ । ଏହି ଟ୍ରେନରେ ବସିବାର ସୁବିଧା ଦିଲ୍ଲୀ, ଗାଜିଆବାଦ, ଆଲିଗଡ଼, ଟୁଣ୍ଡଲା, ଇଟାୱା, କାନପୁର ଓ ଲକ୍ଷ୍ନୌଠାରେ ଉପଲବ୍ଧ ହେବ ।

ଷ୍ଟାଡାର୍ଡ ଶ୍ରେଣୀ ପ୍ୟାକେଜରେ ନନ ଏସି ହୋଟେଲରେ ଯାତ୍ରୀମାନେ ବିଶ୍ରାମ ନେବେ । ସକାଳ ଜଳଖିଆ, ଦ୍ୱିପ୍ରହର ଓ ରାତିରେ ଶାକାହାରୀ ଭୋଜନ ଦିଆଯିବ । ନନ୍ ଏସି ବସ୍ ଦ୍ୱାରା ସ୍ଥାନୀୟ ଅଞ୍ଚଳ ଭ୍ରମଣ କରାଯିବ । ଜଣେ ବ୍ୟକ୍ତିଙ୍କୁ ୨୦,୩୦୫ ଟଙ୍କା, ଦୁଇ / ତିନି ଜଣ ଏକତ୍ର ରହିଲେ ଜଣଙ୍କୁ ୧୭୬୫୫ ଟଙ୍କା ଦେବାକୁ ପଡ଼ିବ । ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟାଙ୍କ ଦ୍ୱାରା ମାସକୁ ମାତ୍ର ୯୭୪ ଟଙ୍କା ଇଏମଆଇ ସୁବିଧା ରହିଛି । ଏହାଦ୍ୱାରା ନିମ୍ନ ଆୟବର୍ଗ ବ୍ୟକ୍ତି ଏହି ପ୍ୟାକେଜର ସୁବିଧା ଉଠାଇ ପାରିବେ । ଆପଣମାନେ ଆଇଆରସିଟିସିର ୱେବସାଇଟ୍ https://www.irctctourism.com/କୁ ଯାଇ ଅନଲାଇନରେ ବୁକିଂ କରିପାରିବେ ।

Related Articles

Back to top button