
ଅଣସର ଗୃହରେ ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ।
ଅଣସର ଗୃହରେ ଶୁକ୍ରବାର ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ । ବଡ଼ ଠାକୁର ବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ମହାପ୍ରଭୁ ଦେବୀ ସୁଭଦ୍ରା ଅଣସର ପିଣ୍ଡିରୁ ଚକାକୁ ବିଜେ କରିଛନ୍ତି। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପାଦନ କରିବେ। ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହମାନେ ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ରହି ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ଦଇତାପତି ଓ ପତି ମହାପାତ୍ର ଗୁପ୍ତ ସେବା କରୁଛନ୍ତି । ପରମ୍ପରା ଅନୁଯାୟୀ ପଞ୍ଚମୀ ତିଥ୍ରେ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗିହୋଇଥିଲା । ଷଷ୍ଠୀରୁ ନବମୀ ଯାଏ ଠାକୁରଙ୍କୁ ଓଷୁଅ ଲାଗି କରାଯାଇଥିଲା। ଦଶମୀ ତିଥିରେ ଅସୁସ୍ଥ ଥିବା ଶ୍ରୀବିଗ୍ରହ ସାମାନ୍ୟ ସୁସ୍ଥ ଅନୁଭବ କରିଥିବାରୁ ଚକାବିଜେ ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଶ୍ରୀଜୀଉଙ୍କୁ ଅଣସର ପିଣ୍ଡିରୁ ଚକାକୁ ବିଜେ କରାଇବେ । ଦଶମୀ ତିଥିରେ ଶୁକ୍ରବାର ବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇ ଶ୍ରୀବିଗ୍ରହଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ପଠାଯିବ। ଉକ୍ତ ଦଶମୂଳ ଏକାଦଶୀ ତିଥିରେ ମହାପ୍ରଭୁ ଲାଗି ହେବେ। ଜ୍ଵରରେ ପୀଡ଼ିତ ଦାରୁ ବିଗ୍ରହମାନେ ଏହି ଦଶମୂଳ ଲାଗି ହେଲେ ସମ୍ପୂର୍ଣ ସୁସ୍ଥ ହୁଅନ୍ତି ବୋଲି ବିଶ୍ଵାସ ରହିଛି।