ଆଜିଠାରୁ ଝାରସୁଗୁଡା ବିଧାନସଭା ଉପ ନିର୍ବାଚନ ନେଇ ଲାଗୁହେଲା ଆଦର୍ଶ ଆଚରଣ ବିଧି, ମେ ୧୦ ରେ ଭୋଟିଂ
୨୦ ତାରିଖ ନାମାଙ୍କନର ଶେଷ ଦିନ, ପ୍ରାର୍ଥୀ ପତ୍ର ଯାଞ୍ଚ ୨୧ ରୁ ୨୪ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ
ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡିଛି। ଆଜି ଝାରସୁଗୁଡା ଉପ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମଇ ୧୦ରେ ଭୋଟିଂ ହେବ, ମଇ ୧୩ ରେ ଫଳାଫଳ ପ୍ରକାଶ ପାଇବ। ତେଣୁ ଆଜିଠାରୁ ହିଁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।
ସିଇଓ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ଝାରସୁଗୁଡା ଉପ ନିର୍ବାଚନ ନେଇ ପ୍ରେସ ରଲିଜ ଜାରୀ ହୋଇଛି । ଆସନ୍ତା ଏପ୍ରିଲ ୧୩ ତାରିଖରେ ପ୍ରକାଶ ପାଇବ ଗଜେଟ ନୋଟିଫିକେସନ । ୨୦ ତାରିଖ ନାମାଙ୍କନର ଶେଷ ଦିନ, ପ୍ରାର୍ଥୀ ପତ୍ର ଯାଞ୍ଚ ୨୧ ରୁ ୨୪ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ। ମେ ୧୦ ରେ ଭୋଟିଂ ହୋଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ମେ ୧୫ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଝାରସୁଗୁଡା ରେ ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ଥିବା ବେଳେ ପୁରୁଷ ଭୋଟର ୧ ଲକ୍ଷ ୧୦ ହଜାର ୩୨୦ ଏବଂ ମହିଳା ଭୋଟର ୧ ଲକ୍ଷ ୧୦ ହଜାର ୬୮୭, ୮୦ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ୪୦୭୪ ଜଣ ଥିବା ବେଳେ ୨୫୨୬ ଜଣ ଭିନ୍ନ କ୍ଷମ ଭୋଟର ରହିଛନ୍ତି। ନିର୍ବାଚନ ଖରାଦିନ ପଡ଼ୁଥିବାରୁ ଗିଷ୍ମ ପ୍ରବାହ ଦୃଷ୍ଟିରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ତେବେ ଦେଶ ତଥା ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢୁଥିବା ବେଳେ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ସାହାଯ୍ୟ ନିଆଯିବ।