ଖୁବ ଶୀଘ୍ର ଜୟପୁର ରେଳ ଷ୍ଟେସନ କେନ୍ଦ୍ର ସରକାରଙ୍କ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ ହେବ
ଜୟପୁର: କେନ୍ଦ୍ରସରକାରଙ୍କ ଅମୃତ ଭାରତ ଷ୍ଟେସନ ଯୋଜନାରେ ପୂର୍ବତଟ ରେଳପଥ ଅଧିନସ୍ଥ ବିଶାଖାପାଟଣା ମଣ୍ଡଳର ୧୬ଟି ଷ୍ଟେସନକୁ ସାମିଲ କରାଯାଇଛି। ତାହା ମଧ୍ୟରେ ଜୟପୁର ଅନ୍ୟତମ। ଏଥିପାଇଁ ଅତ୍ୟାଧୁନିକ ଭିତ୍ତିଭୂମି, ଭିନ୍ନକ୍ଷମ, ମହିଳା, ବୃଦ୍ଧ, ବୃଦ୍ଧା ଆଦିଙ୍କୁ ଦୃଷ୍ଟିରେ ଅନୁସଙ୍ଗିକ ସୁବିଧା ଓ ସୁଯୋଗ ବି କରାଯିବ ବୋଲି କହିଛନ୍ତି ଜୟପୁର ଗସ୍ତରେ ଆସିଥିବା ଡିଆରଏମ୍ ଅନୁପ ଶତପଥି ।
ଆଜି ପୂର୍ବାହ୍ନ ୧୧ଟା ସମୟରେ ଡିଆରଏମ୍ ଜୟପୁର ରେଳ ଷ୍ଟେସନରେ ପହଞ୍ଚିବା ସହ ଅମୃତ ଭାରତ ଯୋଜନାରେ ଚାଳିଥିବା କାମ ଗୁଡିକର ଗୋଟି ଗୋଟି କରି ବୁଲି ତଦାରଖ କରିଥିଲେ। ଅମୃତ ଭାରତ ଷ୍ଟେସନ ଅର୍ନ୍ତଭୁକ୍ତ ଏହି ଷ୍ଟେସନ ରହିଥିବାରୁ ଏହାକୁ କିଭଳି ଉନ୍ନତି ହେବ ସେ ଦିଗରେ ଅଧିକାରୀମାନେ ଆଲୋଚନା କରି ଷ୍ଟେସନ ବୁଲି ଦେଖିଥିଲେ। ଜୟପୁର ଷ୍ଟେସନ ସହ କୋରାପୁଟ, ଦାମନଯୋଡି ଓ ଜଗଦଲପୁର ଷ୍ଟେସନର ରୁପରେଖ ବି ବଦଳିବ ବୋଲି କହିଛନ୍ତି ଡିଆରଏମ।
ସେଭଳି କୋତାୱାଲସା- କିରଣ୍ଡଲ ଲାଇନର ଦୋହରୀକରଣ କାମ ୧୦୦କିଲୋମିଟର ସରିଛି ବୋଲି ସୂଚନା ଦେଇଥିଲେ। ବିଶେଷ କରି ଏହି ଯୋଜନାରେ ନୂଆଁ କରି ଜୟପୁର ଷ୍ଟେସନ କୋଠା ତିଆରି ହେବାକୁ ରହିଛି, ତେଣୁ ଏହା ପୁରୁଣା କୋଠା ଏବଂ ଜାତୀୟ ରାଜପଥ ମଧ୍ୟସ୍ଥ ପୁରୁଣା ଗୁଡ଼ସେଡ଼ ସ୍ଥାନରେ ନିର୍ମାଣ ନେଇ ଆଲୋଚନା କରାଯାଇିଲା। ଏହା ଦ୍ଵାରା ଜାତୀୟ ରାଜପଥ ଠାରୁ ଷ୍ଟେସନର ଦୂରତା ହ୍ରାସ ପାଇବ । ଷ୍ଟେସନରେ ତୁରନ୍ତ ଫୁଟ ଓଭେର ବ୍ରିଜ ପାଇଁ ଫୁଟପାଥ ନିର୍ମାଣ, ଶ୍ରମିକଙ୍କ ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ, କର୍ମଚାରୀଙ୍କ ନୂଆଁ କ୍ୱାଟର ବ୍ୟବସ୍ଥା ଉପରେ ମଧ୍ୟ ମତ ପ୍ରକାଶ ପାଇଥିଲା ।