କଲମା ଫାଟକ ଖୋଲିବା ହୀରାକୁଦ ଜଳସ୍ତର ବୃଦ୍ଧିର କାରଣ: କର୍ତ୍ତୃପକ୍ଷ

ଫୁଲିଲା ହୀରାକୁଦ, ୬୦୫ ଛୁଇଁଲେ ଖୋଲିବ ଗେଟ୍‌

ସମ୍ବଲପୁର : ମହାନଦୀ ଉପର ମୁଣ୍ଡ ଛତିଶଗଡ଼ରେ ଦୁଇଦିନ ଧରି ପ୍ରବଳ ଲଗାଣ ବର୍ଷା ଲାଗି ରହିଥିବାରୁ ଏବେ ହୀରାକୁଦ ଜଳଭଣ୍ଡାର ଫୁଲିବା ଆରମ୍ଭ କରିଛି। ଛତିଶଗଡ଼ର ୧୩ଟି ଜିଲାରେ ୨ ଦିନ ହେଲା ଲଘୁଚାପ ବର୍ଷା ଲାଗିରହିଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସେଠାରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିିଛି। ଛତିଶଗଡ଼ କଲମାର ୬୬ରୁ ୩୦ଟି ଫାଟକକୁ ବୁଧବାରରୁ ଖୋଲି ଦେଇଛି। ଫଳରେ ହୀରାକୁଦକୁ ଜଳପ୍ରବାହ ମଧ୍ୟ ବୃଦ୍ଧି ପାଇଛି। ବୁଧବାର ସକାଳ ୮ ସୁଦ୍ଧା ପ୍ରତି ସେକେଣ୍ଡରେ ୨୯, ୪୫୧ କ୍ୟୁସେକ ପାଣି ପ୍ରବେଶ କରିଥିବା ବେଳେ ଆଜି ୨୫ ହଜାର କ୍ୟୁ​‌େ​‌ସକରୁ ଅଧିକ ବୃଦ୍ଧି ପାଇ ସନ୍ଧ୍ୟା ସୁଦ୍ଧା ୫୪,୬୧୨ କ୍ୟୁସେକ ପାଣି ପ୍ରବେଶ କରୁଛି। ଜଳପ୍ରବାହ ବୃଦ୍ଧି ଯୋଗୁଁ ହୀରାକୁଦ ଜଳସ୍ତର ମଧ୍ୟ କ୍ରମାଗତ ବଢୁଛି। ଆଜି ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬୦୨.୨୩ ଫୁଟକୁ ପହଞ୍ଚି ସାରିଛି। ଆଉ ମାତ୍ର ଅଢ଼େଇ ଫୁଟ ବାକି ଅଛି। ଜଳସ୍ତର ୬୦୫ ଫୁଟକୁ ଛୁଇଁଲେ ଫାଟକ ଖୋଲି ଦିଆଯିବ ବୋଲି ବନ୍ଧ କର୍ତ୍ତୃପକ୍ଷ ଆଜି ସୂଚନା ଦେଇଛନ୍ତି।
କଲମା ଫାଟକ ଖୋଲିବା ହୀରାକୁଦ ଜଳସ୍ତର ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ବନ୍ଧ କର୍ତ୍ତୃପକ୍ଷ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମହାନଦୀ ଉପର ମୁଣ୍ଡରେ ୩୦.୫୫ ମିଲିମିଟର ବର୍ଷା ହୋଇଛି। ମହାନଦୀ ଉପର ମୁଣ୍ଡରେ ଥିବା ୩୬ଟି ବୃଷ୍ଟିମାପକ ଷ୍ଟେସନ ମଧ୍ୟରୁ ରାୟପୁରରେ ସର୍ବାଧିକ ୧୦୧ ମିମି, ଶିଓରିନାରାୟଣରେ ୬୧ ମିମି, ଶଙ୍କରାରେ ୩୨ ମିମି ଓ ବୁର୍ଲାରେ ୭୫ ମିଲିମିଟର ବର୍ଷା ହୋଇଛି। ଛତିଶଗଡ଼ରେ ଲଘୁଚାପ ଜନିତ ବର୍ଷା ଯୋଗୁ ନନ୍ଦାଘାଟଠାରେ ଆଜି ମଧ୍ୟାହ୍ନ ବେଳକୁ ମହାନଦୀରେ ସର୍ବାଧିକ ୧ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଥିଲା। ଛତିଶଗଡ଼ର ମହାନଦୀ ଅବବାହିକାରେ ବୁଧବାରରୁ ତୁହାକୁ କୁହା ବର୍ଷା ଲାଗିଥିବାରୁ ମହାନଦୀରେ ଜଳପ୍ରବାହ ମଧ୍ୟ ବୃଦ୍ଧି ପାଇଛି। ଉପର ମୁଣ୍ଡରେ ହୋଇଥିବା ବର୍ଷା ପାଣି ଆଜି ଓଡ଼ିଶା ସୀମାକୁ ପହଞ୍ଚିଲେ ମହାନଦୀରେ ଜଳପ୍ରବାହ ଆହୁରି ବୃଦ୍ଧି ପାଇବ। ଜୁନ ମାସରେ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ୩୦ % କମ ବର୍ଷା ହୋଇଥିଲା। ସେହି ନିଅଣ୍ଟିଆ ସ୍ଥିତିକୁ ଜୁଲାଇ ବର୍ଷାରେ ଭରଣା କରାଯାଉଛି। ହୀରାକୁଦ ରୁଲକର୍ଭ ଅନୁସାରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜଳଭଣ୍ଡାରରେ ୬୦୫ ଫୁଟ ପାଣି ଗଚ୍ଛିତ ରହିବା କଥା। ଜୁଲାଇ ୧୪ ସୁଦ୍ଧା ଜଳସ୍ତର ୬୦୨ ଫୁଟ ଟପି ସାରିଲାଣି। ୫୧ ହଜାର ଘନଫୁଟ ପାଣି ଆସୁଥିବା ବେଳେ ୩୦ ହଜାର ଘନଫୁଟ ପାଣି ଜଳସେଚନ, ବିଦ୍ୟୁତ ଉତ୍ପାଦନ ଓ ଶିଳ୍ପକୁ ଦିଆଯାଉଛି। ଜଳପ୍ରବେଶଠାରୁ ଜଳ ନିଷ୍କାସନକୁ କମ କରି ପ୍ରତି ସେକେଣ୍ଡରେ ୨୦ ହଜାର ଘନଫୁଟ ପାଣି ଗଚ୍ଛିତ ରଖାଯାଉଛି। ଛତିଶଗଡ଼ରେ ୧୫ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଓ ମହାନଦୀ ଜଳପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଛନ୍ତି। ହୀରାକୁଦ ସ୍ଥିତି ସମ୍ପର୍କରେ ରାଜ୍ୟସ୍ତରୀୟ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ବିଚାରବିମର୍ଷ ଚାଲିଛି ଓ ଜଳସ୍ତର ୬୦୫ ଫୁଟ ପାଖପାଖି ହେଲେ ବନ୍ଧର ଫାଟକ ଖୋଲି ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ  କହିଛନ୍ତି।

Related Articles

Back to top button