ଆଜିଠାରୁ କାର୍ତ୍ତିକ ବ୍ରତ

ଆଜିଠାରୁ କାର୍ତ୍ତିକ ବ୍ରତ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହାକାର୍ତ୍ତିକ ବ୍ରତ କରିବା ପାଇଁ ବିଭିନ୍ନ ସ୍ଥାନରୁ ପୁରୀକୁ ହବିଷ୍ୟାଳି ଆସିଛନ୍ତି। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ହବିଷ୍ୟାଳି ଶିବିର ଉଦଘାଟନ କରିବେ ।

ଆଜିଠାରୁ ବିଧିବଦ୍ଧ ଭାବରେ ସଂକଳ୍ପ କରି ମାସେ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି । ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କରିବା ସହ ରାଧାଦାମୋଦର ପୂଜା କରି ମହାପ୍ରଭୁଙ୍କୁ ଦର୍ଶନ ଓ ମହାପ୍ରସାଦ ପାଇ ପୁଣ୍ୟ ଅର୍ଜନ କରିଵେ। ପୁରୀରେ ୫ଟି ହବିଷ୍ୟାଳି କେନ୍ଦ୍ରରେ ୩ହଜାରରୁ ଅଧିକ ବ୍ରତଧାରୀଙ୍କ ରହଣୀ, ଖାଇବା ସହ ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା କରିଛି ପ୍ରଶାସନ ।

ସେମାନଙ୍କ ସେବା ଓ ସହାୟତା ଲାଗି ପୁରୀର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବି ସାମିଲ ହୋଇଛନ୍ତି । ସୁରକ୍ଷା କର୍ମୀଙ୍କ ବ୍ୟତୀତ ୨ଜଣ ଅଧିକ ଅତିରିକ୍ତ ଏସପି, ୭ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର, ୪୪ଜଣ ଏସଆଇ ଓ ଏଏସଆଇ , ୭୦ଜଣ ହାବିଲଦାର ଓ କନେଷ୍ଟବଳ ଏବଂ ୧୮ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସମେତ ମହାପ୍ରସାଦ ସେବନର ବ୍ୟବସ୍ଥା, କାର୍ତ୍ତିକ ମହାତ୍ମା ଶ୍ରବଣ ଓ ଭଜନ କୀର୍ତ୍ତନ ପରିବେଷଣର ସୁବ୍ୟବସ୍ଥା କରାଯାଇଛି। ୩ହଜାରରୁ ଅଧିକ ହବିଷ୍ୟାଳି ସରକାରଙ୍କ ଯୋଜନାରେ ଉପକୃତ ହେବେ ।

ସେପଟେ ଶ୍ରୀ ମନ୍ଦିରରେ ଗତକାଲି ଚନ୍ଦ୍ରଗ୍ରହଣ ନୀତି ଯୋଗୁ ମହାପ୍ରଭୁଙ୍କ ପହୁଡ ନୀତି ହୋଇନାହିଁ। ରାତି ୩ଟା ୧୭ରୁ ମହାସ୍ନାନ ହୋଇ ୩.୩୦ରେ ରୋଷ ହୋମ, ସନ୍ଧ୍ୟା ଆଳତି୫.୧୦ରେ ହୋଇ ମାଧବ ଲକ୍ଷ୍ମୀ ମନ୍ଦିର ଭିତରକୁ ବିଜେ କରି ଅନ୍ୟାନ୍ୟ ନୀତି ବଢ଼ିଛି l ମହାପ୍ରଭୁଙ୍କର ଆଜି ମଙ୍ଗଳ ଆଳତି ସହ ବିଭିନ୍ନ ନୀତି ଅନୁଷ୍ଠିତ ହେବ ।

Related Articles

Back to top button